ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପର ଦ୍ୱିତୀୟ ଦିବସରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏଥିରେ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଯୋଗଦେଇ ଥିବାବେଳେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଦେବାଶିଷ ସିଂ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । “ନିଶାମୁକ୍ତ ଯୁବ, ବିକଶିତ ଭାରତ ପାଇଁ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଏହି ଅନୁଭୂତିକୁ ସ୍ମରଣୀୟ ଓ ଜ୍ଞାନବର୍ଦ୍ଧକ ବୋଲି ପ୍ରକାଶ କରିଥିଲେ । ଲୋକନୃତ୍ୟ ପ୍ରତିଯୋଗିତାରେ ସନ୍ତୁଷୁନି ଦଳ ପ୍ରଥମ, ମାହେଶ୍ୱରୀ କଳା ପରିଷଦ ବିନିକା ଦ୍ୱିତୀୟ ଏବଂ ରୁମକୁ ଝୁମା ବିନିକା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲୋକସଙ୍ଗୀତ ପ୍ରତିଯୋଗିତାରେ ମାହେଶ୍ୱରୀ ଦଳ ପ୍ରଥମ, ସ୍ୱର୍ଣ୍ଣଲେଖା ଦଳ ଦ୍ୱିତୀୟ ଏବଂ ବଜନିଆ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ ।

