ସୁବର୍ଣ୍ଣପୁର, (୦୫/୧୧) : ଆପ୍ର : ଦୀପାବଳି ଅବସରରେ ଗ୍ରାମୀଣ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ଉତ୍ପାଦକ ଗୋଷ୍ଟି, ଉତ୍ପାଦକ ଉଦ୍ୟୋଗ ଗୁଡ଼ିକର ଉତ୍ପାଦକୁ ବଜାର ରେ ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ୍ (ORMAS), ସୁବର୍ଣ୍ଣପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହଯୋଗରେ ସ୍ଥାନୀୟ ବ୍ଲକ୍ ଛକ ଠାରେ ଏକ ଦୀପାବଳି ଷ୍ଟଲ୍ ଆୟୋଜନ କରାଯାଇଛି ।
ଏହି ଷ୍ଟଲ କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦେବାଶିଷ ସିଂହ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ଏଡିଏମ୍ ରାଜେନ୍ଦ୍ର ମାଝି, ଏଡିଏମ ଅଞ୍ଜଳିନା ପ୍ରଧାନ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଓରମାସ ଉପ-ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ନାୟକ, ଡିପିସି(ମିଶନ ଶକ୍ତି) ବିଶ୍ୱଜିତ ପରିଡ଼ାଙ୍କ ସମେତ ଓରମାସ୍ ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଷ୍ଟଲ୍ ରେ ବିଭିନ୍ନ ଗ୍ରାମୀଣ ଉଦ୍ୟୋଗ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି । ବିଶେଷକରି ବିନିକା ବ୍ଲକ୍ କୁରାଳ ଟେରାକୋଟା ପିଜି, କୁହିବହାଲ ଓ ଜୟ ଜଗନ୍ନାଥ ଟେରାକୋଟା ପିଜି, ସିଲାଟି ଏବଂ ସୋନପୁର ବ୍ଲକ୍ ସୁରସନ୍ ଟେରାକୋଟା ପିଜି, ବାଲିଜୁରି ପକ୍ଷରୁ ବିଭିନ୍ନ ପ୍ରକାର ମାଟି ନିର୍ମିତ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଏଥି ମଧ୍ୟରେ ମାଟି ଦୀପ, ଲଣ୍ଠନ ଦୀପ, ଦୀପ ଟ୍ରେ, ମଲ୍ଟି ଦୀପ, ଲକ୍ଷ୍ମୀଙ୍କ ପାଦଚିହ୍ନ, ସ୍ୱସ୍ତିକ ଓ ଓଁ ଚିହ୍ନ ଥିବା ଟେରାକୋଟା ଟାଇଲ୍, ଝୁଲନ୍ତା ଦୀପ, ଟେରାକୋଟା ତୋରଣ, ଦ୍ୱାର ସାଜସଜ୍ଜା ସାମଗ୍ରୀ, ଧୂପଦାନୀ ଓ ଅଗରବତୀ ଷ୍ଟାଣ୍ଡ ଆଦି ରହିଛି ।
ସେହିପରି ବୀରମହାରାଜପୁର ବ୍ଲକ୍ ଜୟ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ, ଚମ୍ପାମାଳ ପକ୍ଷରୁ ପ୍ରସ୍ତୁତ ଅଗରବତୀ ଏବଂ ମାଲେଶ୍ରୀ ମସରୁମ୍ ପ୍ରଡ୍ୟୁସର ଏଣ୍ଟରପ୍ରାଇଜ୍,ବୀରମହାରାଜପୁର ପକ୍ଷରୁ ପ୍ରସ୍ତୁତ ମଫିନ୍ ଓ କୁକିଜ୍ ମଧ୍ୟ ଷ୍ଟଲ ରେ ବିକ୍ରୟ ପାଇଁ ଉପଲବ୍ଧ ରହିଛି । ଏହି ଦୀପାବଳି ଷ୍ଟଲ୍ ୦୪ ନଭେମ୍ବର ୨୦୨୬ ଠାରୁ ୦୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବ୍ଲକ୍ ଛକ ଠାରେ ଚାଲୁ ରହିବ । ଏହି ସମୟ ମଧ୍ୟରେ ଜନସାଧାରଣ ଷ୍ଟଲ୍ ପରିଦର୍ଶନ କରି ବିଭିନ୍ନ ପାରମ୍ପରିକ ଓ ହସ୍ତ ନିର୍ମିତ ସାମଗ୍ରୀ କ୍ରୟ କରିବା ସହ ଗ୍ରାମୀଣ କାରିଗର ଓ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିପାରିବେ ।
ଓରମାସ୍ ଏହି ପଦକ୍ଷେପ ଗ୍ରାମୀଣ କାରିଗର ଓ ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ସହରାଞ୍ଚଳର ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ପାଇଁ ସିଧାସଳଖ ବଜାର ସଂଯୋଗ ଓ ଅଧିକ ବିକ୍ରୟ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଆୟୋଜିତ ଏହି ଦୀପାବଳି ଷ୍ଟଲ୍ ପରିବାର ସହ ପରିଦର୍ଶନ କରି ସ୍ଥାନୀୟ ଉତ୍ପାଦ କିଣନ୍ତୁ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ସଫଳ କରିବା ସହ ଗ୍ରାମୀଣ କାରିଗର ଓ ମହିଳା ଉଦ୍ୟୋଗୀଙ୍କ ମୁହଁରେ ହସ ଫୁଟାନ୍ତୁ ।

