ବ୍ରହ୍ମପୁର, (୦୯/୦୭) : ଆପ୍ର : ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲୋଚାପଡ଼ା ଅଞ୍ଚଳର ବାସୁଦେବନଗରରେ ଜଣେ ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଏହି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପାରିବାରିକ କଳହରୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ବେଳେ ଆଜି ସକାଳୁ ସ୍ୱାମୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେ ନିଜେ ପେଟ୍ରୋଲ ଢାଳି ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଜଣାପଡ଼ିନି। ଗୁରୁତର ମହିଳାଙ୍କୁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।

