Homelocalଇ-ଚାଲାଣକୁ ଖାତିର ନାହିଁ, ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍...

ଇ-ଚାଲାଣକୁ ଖାତିର ନାହିଁ, ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍ ରଦ୍ଦ

ଭୁବନେଶ୍ୱର, (୦୯/୦୭) : ଆପ୍ର : ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍ ରଦ୍ଦ ପାଇଁ ନିର୍ଦ୍ଦେଶ । ଏଣିକି ସିଧା ଜବତ ହେବ ଗାଡ଼ି ।

ବୈଧ ଫିଟନେସ୍ ସାର୍ଟିଫିକେଟ୍ ବିନା ବାରମ୍ବାର ରାଜପଥରେ ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବଳ ଇ-ଚାଲାଣ ଜାରି କରି କର୍ତ୍ତବ୍ୟ ସାରିଦେବା ପରିବର୍ତ୍ତେ ଏଭଳି ଗାଡ଼ିକୁ ଚିହ୍ନଟ କରି ଜବତ କରିବା, ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ କିମ୍ବା ବାତିଲ୍ କରିବା ସହ ପରମିଟ୍ ରଦ୍ଦ ପାଇଁ ପଦକ୍ଷେପ ନେବାକୁ ସମସ୍ତ RTO, ଅତିରିକ୍ତ RTO ଏବଂ ଉପ-ପରିବହନ କମିଶନରଙ୍କୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଇ-ଡିଟେକ୍ସନ ପୋର୍ଟାଲର ତଥ୍ୟ ବିଶ୍ଳେଷଣରେ ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି ।

ଏହି ତିନି ମାସରେ ବୈଧ ଫିଟନେସ୍ ସାର୍ଟିଫିକେଟ୍ ନଥିବା ୧୧ ହଜାର ୪୦୧ଟି ସ୍ୱତନ୍ତ୍ର ଗାଡ଼ି ବିରୋଧରେ ୪୩ ହଜାର ୬୯୬ଟି ଇ-ଚାଲାଣ ଜାରି ହୋଇଛି । ସେଥିମଧ୍ୟରୁ ୬ ହଜାର ୬୩୫ଟି ଗାଡ଼ି ଏକାଧିକ ଥର, ୨ ହଜରା ୧୯୧ଟି ଗାଡ଼ି ୫ କିମ୍ବା ତା’ଠାରୁ ଅଧିକ ଥର, ୯୬୦ଟି ଗାଡ଼ି ୧୦ରୁ ଅଧିକ ଥର, ୩୫୯ଟି ଗାଡ଼ି ୨୦ରୁ ଅଧିକ ଥର ଏବଂ ୩୭ଟି ଗାଡ଼ି ୫୦ରୁ ଅଧିକ ଥର ଧରାପଡ଼ିଛି । ଏପରିକି ଚାଲାଣ କଟିବା ପରେ ମଧ୍ୟ ଅନେକ ଗାଡ଼ି ମାଲିକ ଫିଟ୍ ନେସ୍ ସାର୍ଟିଫିକେଟ୍ ନବୀକରଣ କରି ନଥିବା ଜଣାପଡ଼ିଛି ।

ସର୍ବାଧିକ ଉଲ୍ଲଂଘନ ବନ୍ଦାଳ ଟୋଲ୍ ପ୍ଲାଜାରେ ଚିହ୍ନଟ ହୋଇଛି । ୫ ହଜାର ୨୮୧ଟି ମାମଲା ଧରାପଡ଼ିଥିବା ବେଳେ ପିପିଲି ଟୋଲ୍ ପ୍ଲାଜାରେ ୪ ହଜାର ୮୧୬ଟି, ସେରଗଡ଼ରେ ୩ ହଜାର ୭୬୯, ଗୁଡ଼ିପଡ଼ା-ଗଙ୍ଗାପଡ଼ାରେ ୨ ହଜାର ୮୦୭ଟି, ସମ୍ବଲପୁର-ବରଗଡ଼ରେ ୨ ହଜାର ୩୩୮ଟି, ଭଗବଡ଼ା-ନାରାୟଣପୁରରେ ୨ ହଜାର ୧୪୧ଟି, କନ୍ଦ୍ରାରେ ୧ ହଜାର ୬୨୯ଟି, ଗୁରାପାଲିରେ ୧ ହଜାର ୫୭୯ଟି, କରାପଡ଼ାରେ ୧ ହଜାର ୫୨୩ଟି ଏବଂ ଦାର୍ଜିଙ୍ଗ ଟୋଲ୍ ପ୍ଲାଜାରେ ୧ ହଜାର ୫୦୨ଟି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି ।

ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୧୦ କିମ୍ବା ତା’ଠାରୁ ଅଧିକ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୭ ଦିନ, ୫ରୁ ୯ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୧୫ ଦିନ ଏବଂ ୨ରୁ ୪ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୩୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସାରିବାକୁ କୁହାଯାଇଛି । ଏଥିପାଇଁ ସମ୍ପୃକ୍ତ ଟୋଲ୍ ପ୍ଲାଜାଗୁଡ଼ିକରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିବ ।

ଯାଞ୍ଚ ବେଳେ ଗାଡ଼ିର ଫିଟ୍ ନେସ୍ , ପରମିଟ୍ , ବୀମା ଓ ଟିକସ ଦସ୍ତାବିଜ ଯାଞ୍ଚ କରାଯିବ । ଫିଟ୍ ନେସ୍ ସାର୍ଟିଫିକେଟ୍ ନଥିଲେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ ଗାଡ଼ିକୁ ଜବତ କରାଯିବ । ବାରମ୍ବାର ନିୟମ ଭଙ୍ଗ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ କିମ୍ବା ବାତିଲ୍ କରିବା ସହ ପରମିଟ୍ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ସମସ୍ତ ଆରଟିଓଙ୍କୁ ପକ୍ଷକାଳ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ରିପୋର୍ଟ ପଠାଇବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments