ସମ୍ବଲପୁର //ରେଢାଖୋଲ, (୦୬/୦୭) : ଆପ୍ର : ଝରକା ଫାଙ୍କାଦେଇ ଟାଣିନେଲା ଯମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ ପଞ୍ଚାୟତ ଅନ୍ତର୍ଗତ ଦେବାହାଳୀ ଗ୍ରାମରେ ଲଗାଣ ବର୍ଷାରେ ଅଭାବନୀୟ ଘଟଣା ଦେଖାଦେଇଛି ।
ପ୍ରବଳ ବର୍ଷା ଓ ବଜ୍ରପାତ ସମୟରେ ବଜ୍ରାଘାତରେ ଜଣେ ୪୦ ବର୍ଷୀୟ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ସନ୍ତୋଷ ଭୋଇ ଓରଫ ରମେଶ । ସୂଚନାଅନୁସାରେ, ରମେଶ ନିଜଘର ଭିତରେ ଝରକା ନିକଟରେ ଠିଆ ହୋଇଥିବା ସମୟରେ ହଠାତ ବିଜୁଳି ଝରକା ଫାଙ୍କ ଦେଇ ପ୍ରବେଶ କରି ତାଙ୍କୁ ଆଘାତ କରିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଚାରମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣ ପରେ ଗାଁସାରା ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

