ରାୟଗଡ଼ା, (୦୮/୧୧) : ଆପ୍ର : ନଭେମ୍ବର ୭ ଜାତୀୟ କର୍କଟ ସଚେତନତା ଦିବସ (National Cancer Awareness Day) ଅବସରରେ ୭ ନଭେମ୍ବର ୨୦୨୬ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (District Headquarters Hospital) ପରିସରରେ ସେଣ୍ଟୁରିଅନ୍ ବିଶ୍ୱବିଦ୍ୟାଳୟ, ରାୟଗଡ଼ାର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବି.ଏସ୍.ସି. ନର୍ସିଂ ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଧାରଣ ଜନତାଙ୍କୁ କର୍କଟ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା ସମ୍ପର୍କରେ ସଚେତନ କରିଥିଲେ । ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା United by Unique (ବିବିଧତା ମଧ୍ୟରେ ଏକତା) । କାର୍ଯ୍ୟକ୍ରମରେ ସ୍ତନ କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ, ମୁଖ ଗହ୍ୱର କର୍କଟ, ଫୁସ୍ଫୁସ୍ କର୍କଟ ଆଦି ବିଭିନ୍ନ ପ୍ରକାରର କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ତମାଖୁ ଓ ମଦ୍ୟପାନରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଆପଣେଇବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବିଶେଷ କରି ଗର୍ଭାଶୟ ଗ୍ରୀବା କର୍କଟର ପ୍ରତିରୋଧ ପାଇଁ HPV ଟିକାକରଣ ଏବଂ ନିୟମିତ ସ୍କ୍ରିନିଂର ଆବଶ୍ୟକତା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା । କର୍କଟ ରୋଗ ସମ୍ପର୍କିତ ଅନ୍ଧବିଶ୍ୱାସ, ଭୟ ଓ ସାମାଜିକ କୁସଂସ୍କାର ଦୂର କରିବା ସହ ଏହାର ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଛାତ୍ରଛାତ୍ରୀମାନେ ବାର୍ତ୍ତା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ କର୍କଟ ରୋଗ ପ୍ରତି ସଚେତନତା ବୃଦ୍ଧି କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ଓ ସମାଜରେ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା । ସ୍କୁଲ୍ ଅଫ୍ ନର୍ସିଂ, ସେଣ୍ଟୁରିଅନ୍ ବିଶ୍ୱବିଦ୍ୟାଳୟ, ରାୟଗଡ଼ା ପକ୍ଷରୁ ଏଭଳି ଜନସଚେତନତାମୂଳକ ପଦକ୍ଷେପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଏବଂ କର୍କଟ ରୋଗର ପ୍ରତିରୋଧ ଦିଗରେ ଏକ ସକାରାତ୍ମକ ପ୍ରୟାସ ଭାବେ ପରିଗଣିତ ହୋଇଥିଲା ।

