ଜଳେଶ୍ୱର, (୧୯/୧୦) : ଆପ୍ର : ରାତିରେ ଆସିଲେ, ଗାଡ଼ି ଉପରେ ପେଟ୍ରୋଲ ଢାଳିଲେ ଆଉ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବେଧଡ଼କ ଭାବେ ଅପରାଧ ଘଟାଇଲେ ।
ଘର ସାମ୍ନାରେ ଥିବା ଗାଡ଼ିକୁ ଜାଳି ଦେଲେ । ପରିବାର ଲୋକ ଉଠି ପଡ଼ିବାରୁ ଅଳ୍ପକେ ବଡ଼ ଧନଜୀବନ ହାନୀ ବର୍ତ୍ତିଗଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଇଛନ୍ତି ୪ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ କେଶପୁରା ଗାଁ’ରେ ଶନିବାର ରାତିରେ କମଳଲୋଚନ ସାହୁଙ୍କ କାର୍ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଜଳେଶ୍ୱର ଥାନା ପାଇକାସିଦା ଗାଁର ୪ ଜଣ ଦୃବୃର୍ତ୍ତ ବିଳମ୍ବିତ ରାତିରେ କେଶପୁରା ଗ୍ରାମର କମଳ ଲୋଚନଙ୍କ ଘର ଆଗରେ ଥିବା ଦୁଇଟି କାର୍ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଗିରଫ ହୋଇ ସେମାନେ ଜେଲ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ କମଳଲୋଚନଙ୍କ ବାଇକ ଓ ଘର ଆଗରେ ଥିବା କାରରେ ମୁଖାପିନ୍ଧାମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପେଟ୍ରୋଲ ଗନ୍ଧ ହେବାରୁ ପରିବାର ଲୋକ ଉଠିପଡ଼ି ପାଣି ଢାଳି ନିଆଁ ଲିଭାଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୋଲିସ ।

