Homelocalଆଜି ପବିତ୍ର ମହାନବମୀ, ମା’ଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା

ଆଜି ପବିତ୍ର ମହାନବମୀ, ମା’ଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା

ଭୁବନେଶ୍ବର, (୧୯/୧୦) : ଆପ୍ର : ଆଜି ପବିତ୍ର ମହାନବମୀ । ମା’ ଜଗତଜନନୀ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ସମଗ୍ର ଓଡ଼ିଶା । ଚାରିଆଡ଼େ ଭକ୍ତି ଓ ଶ୍ରଦ୍ଧାର ପରିବେଶ ।

ଧୂପ, ଦୀପ, ଶଙ୍ଖଧ୍ୱନି ଓ ଘଣ୍ଟଘଣ୍ଟାରେ ମୁଖରିତ ହେଉଛି ପୂଜାମଣ୍ଡପ । ମା’ଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ଆଜିର ଦିନରେ ମା’ ଦୁର୍ଗାଙ୍କ ନବମ ସ୍ୱରୂପ ମା’ ସିଦ୍ଧିଦାତ୍ରୀଙ୍କୁ ଆରାଧନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ଜ୍ଞାନ, ଶକ୍ତି ଓ ସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ । ତାଙ୍କ ଆରାଧନା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।

ଚଳିତବର୍ଷ ଅଷ୍ଟମୀ ଓ ନବମୀ ତିଥିର ସଂଯୋଗକୁ ନେଇ ପୂଜାରେ ରହିଛି ବିଶେଷତ୍ୱ । ପଞ୍ଜିକା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ୫୧ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିବ। ଏହାପରେ ଆରମ୍ଭ ହେବ ନବମୀ ତିଥି । ତେଣୁ ବିଭିନ୍ନ ପୂଜାମଣ୍ଡପରେ ସ୍ଥାନୀୟ ପଞ୍ଜିକା ଓ ପୂଜାବିଧି ଅନୁସାରେ ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମହାନବମୀ ଅବସରରେ ଦେବୀଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା, ପୁଷ୍ପାଞ୍ଜଳି, ଚଣ୍ଡୀପାଠ, ହୋମଯଜ୍ଞ ଓ ଆଳତି ଆଦି ଧାର୍ମିକ ରୀତିନୀତିର ବିଶେଷ ମହତ୍ତ୍ୱ ରହିଛି । ଭକ୍ତମାନେ ମା’ଙ୍କ ନିକଟରେ ପରିବାରର ମଙ୍ଗଳ, ସୁଖସମୃଦ୍ଧି ଏବଂ ସମାଜରେ ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ।

ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାର ଉତ୍ସବମୟ ପରିବେଶ । ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକମାଳା ଓ ସୁସଜ୍ଜିତ ମେଢ଼ ଭକ୍ତମାନଙ୍କୁ ଆକର୍ଷିତ କରୁଛି । ବିଶେଷକରି କଟକର ପାରମ୍ପରିକ ଚାନ୍ଦିମେଢ଼ ଓ ଭୁବନେଶ୍ୱରର ଆକର୍ଷଣୀୟ ପୂଜାମଣ୍ଡପ ଶାରଦୀୟ ଉତ୍ସବର ଅନନ୍ୟ ପରିଚୟ ପାଲଟିଛି । ମହାନବମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ ବରଂ ନାରୀଶକ୍ତି, ସାହସ ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଆରାଧନା ମଣିଷକୁ ଅନ୍ୟାୟ ବିରୋଧରେ ଲଢ଼ିବା ଏବଂ ସତ୍ୟର ପଥରେ ଆଗେଇବାର ପ୍ରେରଣା ଦେଇଥାଏ। ଆଜିର ଏହି ପବିତ୍ର ଅବସରରେ ମା’ ଦୁର୍ଗାଙ୍କ ଆଶୀର୍ବାଦ କାମନା କରି ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ପୂଜାର୍ଚ୍ଚନା କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments