Homelocalକୀର୍ତ୍ତନରେ କମ୍ପିଲା ପରିବେଶ, ଭକ୍ତିରେ ଭିଜିଲା ପୁରୁଷୋତ୍ତମପୁର ; ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ଶ୍ରୀକୃଷ୍ଣ...

କୀର୍ତ୍ତନରେ କମ୍ପିଲା ପରିବେଶ, ଭକ୍ତିରେ ଭିଜିଲା ପୁରୁଷୋତ୍ତମପୁର ; ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ପୁରୁଷୋତ୍ତମପୁର, (୦୬/୦୯) : ଆପ୍ର : ଚାରିଆଡ଼େ ଭକ୍ତିର ମାହୋଲ। ମୁଖରିତ ହେଉଥିଲା ହରିନାମ ସଂକୀର୍ତ୍ତନ, ଭଜନର ତାଳେ ତାଳେ ଝୁମୁଥିଲେ ଶ୍ରଦ୍ଧାଳୁ ।WhatsApp Image 2026 09 06 at 18.40.58

ଫୁଲ, ଦୀପ ଓ ଆଲୋକମାଳାରେ ସଜେଇ ହୋଇଥିବା ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣଙ୍କ ଜୟଧ୍ୱନିରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଏଭଳି ଭକ୍ତିମୟ ପରିବେଶ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଇସ୍କନ ପକ୍ଷରୁ ଦୁଇଦିନ ଧରି ଭବ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ସଂସ୍ଥାର ପ୍ରମୁଖ ବ୍ରଜ ଗୋବିନ୍ଦ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଇସ୍କନ କର୍ମୀ, ଭକ୍ତ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା । ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ଫୁଲ, ବିଭିନ୍ନ ଅଳଙ୍କାର ଓ ସୁନ୍ଦର ସାଜସଜ୍ଜାରେ ସୁସଜ୍ଜିତ କରାଯାଇଥିଲା । ଜନ୍ମାଷ୍ଟମୀ ଦିନ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଥମେ କୁନି କୁନି ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପିଲାମାନେ ଶ୍ରୀକୃଷ୍ଣଙ୍କ ଜୀବନ, ଲୀଳା ଓ ଭକ୍ତିଭାବକୁ ଆଧାର କରି ବିଭିନ୍ନ ପ୍ରଦର୍ଶନ କରିଥିଲେ ।

ଏହାପରେ ଭଜନ ଓ ହରିନାମ କୀର୍ତ୍ତନରେ ପରିବେଶ ଅଧିକ ଭକ୍ତିମୟ ହୋଇଉଠିଥିଲା। ବିଧିବଦ୍ଧ ଭାବେ ପ୍ରଭୁଙ୍କ ମହାଅଭିଷେକ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ପରିଶେଷରେ ପ୍ରଭୁଙ୍କ ନିକଟରେ ୫୬ ଭୋଗ ଅର୍ପଣ କରାଯିବା ସହ ମହାଆରତୀ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 09 06 at 18.40.59

ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ନନ୍ଦୋତ୍ସବ ପାଳନ କରାଯାଇଥିଲା । ସନ୍ଧ୍ୟା ୬ଟାରୁ ପ୍ରଭୁଙ୍କ କୀର୍ତ୍ତନ ଓ ଗୌର ଆରତୀ ଆରମ୍ଭ ହୋଇଥିଲା। ଏହା ସହିତ ପ୍ରଭୁଙ୍କ ନିକଟରେ ୫୬ ଭୋଗ ଅର୍ପଣ କରାଯାଇଥିଲା। ଏହି ଅବସରରେ ‘ପ୍ରଭୁପାଦ ଲୀଳାମୃତ’ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଝିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଆୟୋଜକଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।

ଦୁଇଦିନ ଧରି ଚାଲିଥିବା ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବରେ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା । କୀର୍ତ୍ତନ, ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ୍ଦିର ପ୍ରାଙ୍ଗଣ ସାରା ଭକ୍ତିରସରେ ଭରିଯାଇଥିଲା । ଆୟୋଜକଙ୍କ କହିବାନୁଯାୟୀ, ଇସ୍କନ ପ୍ରତିଷ୍ଠାର ଦୀର୍ଘ ୬୦ ବର୍ଷ ମଧ୍ୟରେ ଦେଶ ଓ ବିଦେଶରେ ସନାତନ ସଂସ୍କୃତି, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସଂସ୍ଥା ଏକ ପ୍ରମୁଖ ଭୂମିକା ନେଇଆସିଛି । ବର୍ତ୍ତମାନର ଡିଜିଟାଲ ଯୁଗରେ ଯୁବପିଢ଼ିଙ୍କୁ ସନାତନ ପରମ୍ପରା ଓ ଭାରତୀୟ ସଂସ୍କୃତି ସହ ଯୋଡ଼ିବା ସହ ଆଗାମୀ ପିଢ଼ି ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ଇସ୍କନର ପ୍ରୟାସ ନିରନ୍ତର ଜାରି ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments