ସୁବର୍ଣ୍ଣପୁର, (୦୫/୦୯) : ଆପ୍ର : ଗୁରୁଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଶିକ୍ଷକ ସମାଜର ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ମହୋତ୍ସବ-୨୦୨୬ ବିନିକା ସ୍ଥିତ ଟାଉନହଲ ଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଦୀର୍ଘ ବର୍ଷର ଶିକ୍ଷାଦାନ ଓ ସମାଜ ଗଠନରେ ଅବଦାନକୁ ସମ୍ମାନ ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଙ୍କ ମହତ୍ତ୍ୱ ଓ ଶିକ୍ଷକ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଶିକ୍ଷକ କେବଳ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି ନାହିଁ, ବରଂ ଭବିଷ୍ୟତ ସମାଜ ଗଠନର ମୁଖ୍ୟ କାରିଗର ଭାବେ ଦାୟିତ୍ୱ ତୁଲାଇଥାନ୍ତି । ଅବସର ପରେ ମଧ୍ୟ ଶିକ୍ଷକଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ସମାଜ ପାଇଁ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସେହିପରି ସମ୍ମାନିତ ଅତିଥିଭାବେ ଜିଲ୍ଲା ଖେଳଶିକ୍ଷା ପ୍ରମୁଖ ବାଲାଜୀ ବିଶ୍ୱନାଥ, ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ବିନିକା ଏନ୍ଏସିର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ବରିଷ୍ଠ ଶିକ୍ଷକ ରାଧାମୋହନ ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁ ଦିବସର ମହତ୍ତ୍ୱ ଉପରେ ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି ଶଶାଙ୍କ ଶେଖର ପଣ୍ଡା ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଯାଇଥିଲା । ନିଜ ଜୀବନର ଅନେକ ମୂଲ୍ୟବାନ ବର୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଉତ୍ସର୍ଗ କରିଥିବା ଏହି ଗୁରୁଜନଙ୍କ ସମ୍ମାନ ସଭାକୁ ଭାବବିହ୍ୱଳ କରିଥିଲା ।
ଏହି ଅବସରରେ ଶିକ୍ଷକ ତଥା ସୁପରିଚିତ ମଞ୍ଚ ପରିଚାଳକ ହିମାଂଶୁ ଭୂଷଣ ପଣ୍ଡା ଓ ବିବେକାନନ୍ଦ ନାୟକ ମଞ୍ଚ ପରିଚାଳନା କରି କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସୁସଂଗଠିତ ଭାବେ ଆଗେଇ ନେଇଥିଲେ। ଶିକ୍ଷକ ଶିବନାରାୟଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ନାଟକ । ଛାତ୍ରୀମାନଙ୍କ ଚମତ୍କାର ଅଭିନୟ, ସଂଳାପ ଓ ଭାବପ୍ରକାଶ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା । ନାଟକ ମାଧ୍ୟମରେ ଗୁରୁ-ଶିଷ୍ୟ ସମ୍ପର୍କ, ଶିକ୍ଷାର ମହତ୍ତ୍ୱ ଓ ନୈତିକ ମୂଲ୍ୟବୋଧର ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ସମଗ୍ର କାର୍ଯ୍ୟକ୍ରମରେ ବିନିକା ଅଞ୍ଚଳର ଶିକ୍ଷକ-ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଗୁରୁଜନ ଓ ଶିକ୍ଷାପ୍ରେମୀମାନଙ୍କ ଉପସ୍ଥିତି ଏହି ଗୁରୁ ମହୋତ୍ସବକୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିଥିଲା। ଅବସରପ୍ରାପ୍ତ ଗୁରୁଜନଙ୍କୁ ସମ୍ମାନ ଦେବା ସହିତ ନୂତନ ପିଢ଼ିକୁ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତାର ବାର୍ତ୍ତା ଦେବାରେ ଏହି ଆୟୋଜନ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଶ୍ଵ ରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ଧର,ବିଭୂତି ପୂଜାରୀ, ନାରାୟଣ ପାଢ଼ୀ, ପ୍ରେମାନନ୍ଦ ଦାସ, ଗୋପାଳ ଜାଲ, ଧ୍ରୁବ ଚରଣ ଦେବତା, ବିଜୟ ପଧାନ, ବିକାଶ ବାରିକ ପ୍ରମୁଖ ଶିକ୍ଷକ ସମ୍ପୂର୍ଣ ସହଯୋଗ କରିଥିଲେ ।

