ରାୟଗଡ଼ା, (୨୨/୦୭) : ଆପ୍ର : ରାୟଗଡ଼ା ଉପକଣ୍ଠସ୍ଥ ପିତାମହଲରେ ଜେଆଇଟିଏମ୍ (JITM) ଯୁକ୍ତ ଦୁଇ ବିଜ୍ଞାନ କଲେଜ ପରିସରରେ ଚଳିତ ଶିକ୍ଷାବର୍ଷର ସିଏଚ୍ଏସ୍ଇ (CHSE) ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି ସ୍ୱାଗତ ସମାରୋହରେ ୬୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ କଲେଜର ନିର୍ଦ୍ଦେଶକ ଡ. ରାଜେଶ କୁମାର ପାଢ଼ୀ ସମସ୍ତ ବିଭାଗୀୟ ମୁଖ୍ୟ ଓ ଦାୟିତ୍ୱରେ ଥିବା ପ୍ରତିନିଧିମାନଙ୍କୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ସମସ୍ତ ଜିଜ୍ଞାସା ଓ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଶିକ୍ଷାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସର୍ବୋତ୍ତମ ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ ।
ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର କଲେଜର ଶୃଙ୍ଖଳିତ ନିୟମାବଳୀ, ପରୀକ୍ଷା ପଦ୍ଧତି, ହଷ୍ଟେଲ, ପରିବହନ ବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନ ଯୋଗାଉଥିବା ବିଭିନ୍ନ ଉନ୍ନତ ସୁବିଧା ସୁଯୋଗ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କଲେଜର ‘ସେଞ୍ଚୁରିଅନ ଆପ୍ଲିକେସନ’ର (Centurion Application) ସଦୁପଯୋଗ କରି ଏହାର ଭରପୂର ଫାଇଦା ଉଠାଇବାକୁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ । ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏକ ଆକର୍ଷଣୀୟ ପାୱାରପଏଣ୍ଟ ପ୍ରେଜେଣ୍ଟେସନ (PPT) ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଶ୍ରୀ ସାଗର କୁମାର ବେହେରା, ଶ୍ରୀ ସୁଭାଶିଷ ହୋତା, କୁମାରୀ ସମିଧା ଆଚାର୍ଯ୍ୟ ଏବଂ କୁମାରୀ ସିମରନ ନାୟକ ପ୍ରମୁଖ ଏହି ସମଗ୍ର ସଭାକୁ ଅତି ସୁରୁଖୁରୁରେ ସଂଯୋଜନା ଓ ପରିଚାଳନା କରିଥିଲେ ।

