Homelocal୬୦ ବର୍ଷର ସଫଳ ଯାତ୍ରା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

୬୦ ବର୍ଷର ସଫଳ ଯାତ୍ରା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ା, (୦୫/୦୭) : ଆପ୍ର : ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୦ତମ ପ୍ରତିଷ୍ଠା ଦିବସ ଆଜି ମହାବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି ।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ସଭାପତିତ୍ୱ କରିଥିବା ବେଳେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ପିଜି କାଉନ୍ସିଲ ଅଧ୍ୟକ୍ଷ ପି. ଅରୁଣ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶାସନିକ ବର୍ସର୍ ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଇକ, ଆକାଉଣ୍ଟ ବର୍ସର୍ ସୁବ୍ରତ କୁମାର ପ୍ରଧାନ , ଭବେଶ ମହାନ୍ତି, ଏକାଡେମିକ ବର୍ସର୍ ଡ. ଅଜୟ ରଇତ, ରମେଶ ଚନ୍ଦ୍ର ହୁଇକା ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଭୁବନେଶ୍ୱରୀ ପାତ୍ରଙ୍କ ଦ୍ୱାରା ସୁମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ପରେ ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରି ମହାବିଦ୍ୟାଳୟର ଗୌରବମୟ ୬୦ ବର୍ଷର ଯାତ୍ରା, ଭିତ୍ତିଭୂମିର ଉଲ୍ଲେଖନୀୟ ପରିବର୍ତ୍ତନ, ବିଭିନ୍ନ ବିଭାଗରେ ଏଇଇଡିପି (AEDP)ର ସଫଳ କାର୍ଯ୍ୟକାରିତା, ଡିଜିଟାଲ ରୂପାନ୍ତରଣ ଏବଂ ମହାବିଦ୍ୟାଳୟରେ ସୌରଶକ୍ତି ଉତ୍ପାଦନ ଭଳି ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏହି ସମସ୍ତ ଉଦ୍ୟମ ମହାବିଦ୍ୟାଳୟକୁ ଏକ ଆଧୁନିକ ଓ ପରିବେଶ ଅନୁକୂଳ ଉଚ୍ଚଶିକ୍ଷା ଅନୁଷ୍ଠାନ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି। ସମ୍ମାନିତ ଅତିଥି ପି. ଅରୁଣ କୁମାର ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ଗୌରବମୟ ଇତିହାସ ଓ ଶିକ୍ଷା କ୍ଷେତ୍ରରେ ଏହାର ଅବଦାନ ଉପରେ ଆଲୋଚନା କରିବା ସହ ସମସ୍ତଙ୍କୁ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ନିଜ ଅଭିଭାଷଣରେ ମହାବିଦ୍ୟାଳୟର ଦୀର୍ଘ ଯାତ୍ରା ଓ ସଫଳତାର ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ, ଯେକୌଣସି ଶିକ୍ଷାନୁଷ୍ଠାନର ବିକାଶରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅବଦାନ ଅତ୍ୟନ୍ତ ଆବଶ୍ୟକ । ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟଭିତ୍ତିକ ଜୀବନ ଗଢ଼ିବା, ଅଧ୍ୟବସାୟ ଓ ନିଷ୍ଠାର ସହ ଆଗକୁ ବଢ଼ିବା ପାଇଁ ସେ ପ୍ରେରଣା ଦେଇଥିଲେ । ଏହି ଅବସରରେ ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକୋତ୍ତର (କଳା, ବିଜ୍ଞାନ ଓ ବାଣିଜ୍ୟ) ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଶ୍ରେଷ୍ଠ ଫଳାଫଳ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗବେଷଣା, ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶନ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ସମଗ୍ର କାର୍ଯ୍ୟକ୍ରମକୁ ଲେଫ୍ଟନାଣ୍ଟ ଉଦୟ ନାୟକ ଓ ଉପ – ପରୀକ୍ଷା ନିୟନ୍ତ୍ରକ ଏମ୍. ଶ୍ରୀନିବାସ ସୁନ୍ଦର ଓ ସୁଚାରୁ ଭାବେ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଟି. ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମଧ୍ୟରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments