ପୁରୁଷୋତ୍ତମପୁର, (୧୦/୧୧) : ଆପ୍ର : ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧିର ଏକ ସୁନ୍ଦର ମଞ୍ଚ ପାଲଟିଛି ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’।
ଏହି ଅବସରରେ ସୋମବାର ପୁରୁଷୋତ୍ତମପୁର ସ୍ଥିତ ପି.ଏମ୍. ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବରେ ପୁରୁଷୋତ୍ତମପୁର ବ୍ଲକ୍ର ୧୩ଟି କ୍ଲଷ୍ଟରରୁ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିକ୍ଷା ସହିତ କଳା, ସଂସ୍କୃତି, ସାହିତ୍ୟ ଓ ସୃଜନଶୀଳତାର ବିକାଶକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ମହୋତ୍ସବରେ କୁନି କୁନି ପ୍ରତିଯୋଗୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ନିଜ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଆସିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଶିଶୁମାନଙ୍କ ପ୍ରତିଭା ବିକାଶରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ନିର୍ମଳ ସାହୁ, ଏବିଇଓ ତଥା ବିଆର୍ସିସି ଶ୍ରୀ ବିଜୟ ଚନ୍ଦ୍ର ବେହେରା, ଏବିଇଓ ଶ୍ରୀ ଭକ୍ତ ବତ୍ସଳ ଜାନି ଏବଂ ଶ୍ରୀ ଦେବରାଜ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଆର୍ସିସି ଶ୍ରୀ ବିଜୟ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବ୍ଲକ୍ର ସମସ୍ତ ୧୩ ଜଣ ସିଆର୍ସିସି କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଚାରକ ଭାବେ ଦାୟିତ୍ୱ ତୁଲାଇବା ସହ ପ୍ରତିଯୋଗିତାଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଏକ ବୃହତ୍ତର ମଞ୍ଚରେ ନିଜକୁ ପ୍ରତିପାଦିତ କରିବାର ସୁଯୋଗ ଦେବା ଦିଗରେ ‘ସୁରଭି’ ମହୋତ୍ସବ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ବିଆର୍ସିସି ଶ୍ରୀ ବିଜୟ ଚନ୍ଦ୍ର ବେହେରା ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଆୟୋଜକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

