ନୀଳଗିରି, (୨୭/୦୫) : ଆପ୍ର : ରିଲ୍ସ କରିବା ହେଲା କାଳ । ବାଇକ ଷ୍ଟଣ୍ଟ କରୁଥିବାବେଳେ ଦୁର୍ଘଟଣାରେ ଗଲା ଜୀବନ । ୬ ବାଇକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ।
ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରତ୍ନାକର ସିଂ। ପାଟଣା ଛକରେ ୫ରୁ ୬ଟି ବାଇକ ଧରି ୧୨ରୁ ଅଧିକ ଯୁବକ ରିଲ୍ସ କରୁଥିଲେ । ବାଇକ ଷ୍ଟଣ୍ଟ କରୁଥିବାବେଳେ ଅପର ପକ୍ଷରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୫ ଜଣ ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରତ୍ନାକରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ନୀଳଗିରି ପୋଲିସ ।
ବର୍ତ୍ତମାନ ସମୟରେ ରିଲ୍ସ ଓ ସେଲଫିର ନିଶା ସମସ୍ତଙ୍କୁ ଘାରିଛି । ଯୁବପିଢ଼ି ଜାଣିଶୁଣି ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏହି ସଉକ ପାଇଁ କେତେ ଜୀବନ ଅକାରଣେ ଚାଲିଯାଉଛି । ଭଲ ଓ ମନ୍ଦ ର ବିଚାର ବି କରୁନାହାନ୍ତି । ଏମିତି କିଛି ଘଟଣା, ଦୁର୍ଘଟଣା ଅନେକ ଦେଖିବାକୁ ମିଳୁଛି । ସାମାନ୍ୟ ଅସାବଧାନତା ପାଇଁ କେତେ ନିରୀହ ଜୀବନ ଚାଲିଯାଉଛି । ତେଣୁ ଏହି ସବୁ ପ୍ରତି ଧ୍ୟାନ ଦେବା ଜରୁରୀ ।

