ପୁରୀ, (୨୭/୦୬) : ଆପ୍ର : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜିପି ଡ.ସତ୍ୟଜିତ ନାଏକ ଏବଂ ପୁରୀ ଏସପି ପ୍ରତୀକ ସିଂହ ସୁରକ୍ଷା, ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ ଓ ଜନଗହଳି ବ୍ୟବସ୍ଥାପନାର କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସମୀକ୍ଷା କରିଛନ୍ତି। ଭକ୍ତମାନେ କିଭଳି ଶୃଙ୍ଖଳିତ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିପାରିବେ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହର ସାରା ପ୍ରାୟ ୭୯ ପ୍ଲାଟୁନ ପୋର୍ସ ମୁତୟନ କରାଯିବ । ଏସପି, ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ବହୁ ବରିଷ୍ଠ ଅଧିକାରୀ ଡ୍ୟୁଟିରେ ରହିବେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କୁଇକ୍ ଆକ୍ସନ ଟିମ୍ , ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ମୁତୟନ ରହିବେ ।
କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପିକପକେଟ୍, ଚେନ୍ ଛିଣ୍ଡାଇବା ଭଳି ଅପରାଧକୁ ରୋକିବା ପାଇଁ ପୋଲିସ ପ୍ରଯୁକ୍ତିବିଦ୍ୟାର ସହଯୋଗ ନେଇଛି । ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରୁ ସମଗ୍ର ପୁରୀ ସହରର ଗତିବିଧି ଉପରେ ରିଆଲ୍-ଟାଇମ୍ ନଜର ରଖାଯିବ । ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରିପାଖରେ ଥିବା ଉଚ୍ଚ ଅଟ୍ଟାଳିକା ଉପରେ ପୋଲିସ କର୍ମଚାରୀମାନେ ବାଇନାକୁଲାର ସହ ମୁତୟନ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଭିଡ଼ର ସୁଯୋଗ ନେଇ ଗହଣା କିମ୍ବା ପର୍ସ ଚୋରି ରୋକିବାକୁ ସାଧା ପୋଷାକଧାରୀ ସ୍ୱତନ୍ତ୍ର ପୋଲିସ ଦଳ ଭକ୍ତଙ୍କ ଗହଣରେ ରହିବେ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନକୁ ସହଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସହର ଭିତରେ ଯାନବାହନ ଜାମ୍ ରୋକିବା ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ସହର ଉପକଣ୍ଠରେ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ସ୍ନାନଯାତ୍ରା ସମୟରେ ପ୍ରବଳ ଗରମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ । ନିଖୋଜ ବ୍ୟକ୍ତି ବା ପିଲାମାନଙ୍କୁ ଖୋଜିବା ପାଇଁ ସୂଚନା କେନ୍ଦ୍ର ମଧ୍ୟ ସକ୍ରିୟ ରହିବ ।

