Homelocalଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (୧୭.୦୬) : ଆପ୍ର : ଆସନ୍ତା ଜୁନ୍ ୨୧ ତାରିଖରେ ପାଳିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କ୍ଷୁଦ୍ର ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ ନିରୋଗ ଏବଂ ସୁସ୍ଥ ଜୀବନ ପାଇଁ ଯୋଗ” (Yoga for Healthy Aging) ରହିଥିବାବେଳେ ଏହାର ବ୍ୟାପକ ପ୍ରଚାର ଓ ସଫଳ ଆୟୋଜନ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୋଗକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ଭାବେ ନ ଦେଖି, ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ସମସ୍ତ ବୟସ ବର୍ଗର ଲୋକଙ୍କୁ ସଚେତନ ଓ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଜିଲ୍ଲାପାଳ ଡ ସାହୁ ଯୋଗ ଅଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରାଯାଇପାରିବ ବୋଲି କହିବା ସହ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ସାଧାରଣ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣରେ ଯୋଗ ଦିବସକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ବୈଠକକୁ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ, ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଯେମିତି ଶିକ୍ଷା ବିଭାଗ, ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟାଳୟ, ପଞ୍ଚାୟତିରାଜ ବିଭାଗ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରତିନିଧିମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଯୋଗର ପ୍ରଚାର ଓ ପ୍ରସାର ସହ ଜଡିତ ସମସ୍ତ ସମ୍ପୃକ୍ତ ବିଭାଗ ଏବଂ ଅନୁଷ୍ଠାନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments