ଭୁବନେଶ୍ୱର, (୧୮/୧୦) : ଆପ୍ର : ଭୁବନେଶ୍ୱର ଉପକଣ୍ଠ ଯାଁଆଳା ଓଭରବ୍ରିଜ୍ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଏକ କଣ୍ଟେନର ପଛରେ ଆଇଚର୍ ଗାଡ଼ି ପିଟି ହେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଯାଁଆଳା ଓଭରବ୍ରିଜ୍ ଉପରେ ଏକ କଣ୍ଟେନର ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଆଇଚର୍ ଗାଡ଼ି ତାହାକୁ ଜୋର୍ରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ଦାର ଥିଲା ଯେ, ଆଇଚର୍ ଗାଡ଼ିର କ୍ୟାବିନ୍ ଭିତରେ ଚାଳକ ଫସି ରହିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଅଗ୍ନିଶମ କର୍ମଚାରୀମାନେ ଗାଡ଼ିକୁ କାଟି ଦୀର୍ଘ ଚେଷ୍ଟା ପରେ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଜାମ୍ ହଟାଇବା ସହ ଯାତାୟାତକୁ ସ୍ୱାଭାବିକ କରିଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ ।

