କଣ୍ଟାବାଞ୍ଜି, (୧୮/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାଲୁ ଆକ୍ରମଣରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଶନିବାର ରାତି ପ୍ରାୟ ୧୧ଟା ସମୟରେ କଣ୍ଟାବାଞ୍ଜି ଏନ୍ଏସିର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଚିଲ୍ଡ୍ରେନ୍ ପାର୍କ ନିକଟସ୍ଥ ମାକରଚୁଆଁ ରାସ୍ତାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଭାଲୁ ଆକ୍ରମଣରେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ୍ ଜଣାପଡ଼ିନାହିଁ । ଅନ୍ୟପକ୍ଷରେ, ଭାଲୁକୁ ଧରିବାରେ ବନ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ଜଣାପଡ଼ିଛି । ପ୍ରାୟ ଏକ ସପ୍ତାହ ଧରି କଣ୍ଟାବାଞ୍ଜି ସହର ଓ ଏହାର ଆଖପାଖ ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ ଦେଖାଦେଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଥିବାବେଳେ ଭାଲୁକୁ ଧରିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

