ବଲାଙ୍ଗିର, (୧୯/୦୮) : ଆପ୍ର : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସହ ଅର୍ଥ ବରାଦ କରିଥିଲେ ।
କିନ୍ତୁ ମନ୍ଦିର ଚାରିପାଖରେ ଥିବା ଦୋକାନଗୁଡ଼ିକ ଯୋଗୁଁ ଏହି ଯୋଜନା ଆଗକୁ ବଢ଼ି ପାରୁନଥିବା ବେଳେ ନାଳି ପାଣି ଆସି ମନ୍ଦିରର ଗର୍ଭ ଗୃହ ପର୍ଯ୍ୟନ୍ତ ପ୍ରବେଶ କରୁଥିଲା । ମନ୍ଦିର ଚାରିପାଖରେ ଥିବା ଦୋକାନଗୁଡ଼ିକ ଉଚ୍ଛେଦ ନକଲେ ଏକ ଉନ୍ନତ ଶୈଳୀର ମନ୍ଦିର ଅସମ୍ଭବ ବୋଲି ବିଭାଗୀୟ ଅଧିକାରୀ ଅନୁଭବ କରି ସେଦିଗରେ ପଦକ୍ଷେପ ନେଇଥିଲେ । ଗତ ଜୁଲାଇ ୨୫ ତାରିଖରେ ସମଲେଶ୍ୱରୀ ମନ୍ଦିର ଚାରିପାଖରେ ଥିବା ଦୋକାନଗୁଡ଼ିକର ମାଲିକଙ୍କୁ ଉଚ୍ଛେଦ ପାଇଁ ନୋଟିସ୍ ଜାରି କରାଯାଇଥିଲା । ପ୍ରଥମେ ଅଗଷ୍ଟ ୫, ଅଗଷ୍ଟ ୧୨ ଓ ଶେଷରେ ଅଗଷ୍ଟ ୧୮ ତାରିଖ ଦିନ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି ।
ଏନେଇ ଦୋକାନୀମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ମନ୍ଦିର ଚାରିପାଖରେ ସମୁଦାୟ ୨୩ ଜଣ ଦୋକାନୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ମାଉସୀ ମା’ ମନ୍ଦିର ପାଖରେ ଥଇଥାନ କରାଯାଇ ସାରିଛି । ଆଉ ୧୨ ଜଣ ଦୋକାନୀଙ୍କୁ ଶୀଘ୍ର ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏତେଦିନ ଧରି ଏହି ସ୍ଥାନରେ ଦୋକାନ କରି ନିଜର ପେଟ ପାଟଣା ପାଳୁଥିବା ଦୋକାନୀମାନେ ଥଇଥାନ ନହେବା ପର୍ଯ୍ୟନ୍ତ କେମିତି ଦୁଇ ମୁଠା ଚାଉଳ ନେବେ, ତାହା ନେଇ ଏବେ ପ୍ରଶ୍ନ ଉଠିଛି ।

