ବଙ୍ଗୋମୁଣ୍ଡା, (୧୯/୦୮) : ଆପ୍ର : ଖେଳୁଥିବା ବେଳେ ଅଘଟଣ । ପାଇଖାନା ଖୋଲା ପାଣି ଟାଙ୍କିରେ ପଡି ଜଣେ ୪ ବର୍ଷ ଶିଶୁର ଚାଲିଗଲା ଜୀବନ ।
ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ଅଧିନସ୍ଥ ପଞ୍ଚାୟତ ଅଶୁର୍ଲା ଗାଁରେ । ଗାଁର ଗୁପ୍ତେଶ୍ଵର ବାଗଙ୍କ ପୁଅ କ୍ରିସ (୦୪) ବୋଲି ସୂଚନା ମିଳିଛି । କ୍ରିସ ଘର ନିକଟରେ ଖେଳୁଥିବା ବେଳେ ଏକ ପାଇଖାନା ଖୋଲା ପାଣି ଟାଙ୍କିରେ ପଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ଜିଲ୍ଲା ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଖଡ଼ିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରୁଛି ।
ଅଶୁର୍ଲା ଗାଁ’ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଘରେ ମୃତକଙ୍କ ମାଆଥିବା ବେଳେ ବାପା ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଯାଇଥିବା ନେଇ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ଜଣେ ବ୍ୟକ୍ତି ଘର ତିଆରି ସମୟ ପାଇଖାନା ଟାଙ୍କି ଖୋଳି ତାକୁ ଖୋଲା ଛାଡି ଦେଇଥିବା ବେଳେ ଜଣେ ଶିଶୁ ଟାଙ୍କିରେ ପଡି ମୃତ୍ୟୁ କରିବା ପରେ ଏବେ ନାନା କଥା ଚର୍ଚ୍ଚା ହେଉଛି ।

