ଗୁଣୁପୁର, (୨୫/୯) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ, ସ୍କୁଲ୍ ଅଫ୍ ଫାର୍ମାସି ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଛି ।
ଅନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍ (ଏଫ୍ ଆଇ ପି ) ପକ୍ଷରୁ ଘୋଷିତ ଚଳିତ ବର୍ଷର ବିଷୟବସ୍ତୁ “ସୁସ୍ଥ ଭବିଷ୍ୟତ ଗଠନରେ ଫାର୍ମାସିଷ୍ଟମାନଙ୍କୁ ସଶକ୍ତୀକରଣ” ସମ୍ପର୍କରେ ଆୟୋଜିତ ହୋଇଥିଲା ।ଏହି ଅବସରରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ସର୍ଜନ୍ ଡ଼ଃ. ଲକ୍ଷ୍ମୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫାର୍ମାସିଷ୍ଟ ମାନଙ୍କ ଦାୟିତ୍ଵ ବିଷୟରେ କହିଥିଲେ । ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧର ବଢ଼ୁଥିବା ବିପଦ ଉପରେ ଆଲୋକପାତ କରିବା ସହ ଆଣ୍ଟିମାଇକ୍ରୋବିଆଲ୍ ଔଷଧର ଯୁକ୍ତିଯୁକ୍ତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ସଂକ୍ରମଣ ନିରୋଧ ଏବଂ ରୋଗୀ ସୁରକ୍ଷାରେ ଫାର୍ମାସିଷ୍ଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏହା ସହ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଫାର୍ମାସିଷ୍ଟ ମାନେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର୍ (କମ୍ପ୍ୟୁଟେସନାଲ୍ ସାଇନ୍ସେସ୍) ଡ଼ଃ ବାଳ କୃଷ୍ଣ ତ୍ରିପାଠୀ, ଅନ୍ୟତମ ପ୍ରୋଭାଇସ୍- ଚାନ୍ସେଲର୍ (ମ୍ୟାଟେରିଆଲ୍ ସାଇନ୍ସେସ୍) ଡ଼ଃ ଏ ଭି ଏନ୍ ଏଲ୍ ଶର୍ମା , ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡ଼ଃ କେ ମୂରଲୀ ଗୋପାଳ ପ୍ରମୁଖ ମଞ୍ଚାସିନ ରହିଥିଲେ । ସ୍କୁଲ୍ ଅଫ୍ ଫାର୍ମାସିର ଅଧ୍ୟକ୍ଷ ଡ଼ଃ. କାହ୍ନୁ ଚରଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଚନ୍ଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ କୁଇଜ୍ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, ପୋଷ୍ଟର ପ୍ରଦର୍ଶନୀ ଏବଂ ରିଲ୍ ତିଆରି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜି କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସିଲ୍ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ଏହି ଦିବସ ଉପଲକ୍ଷେ ଉପଢୌକନ ସହ ସିଲ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଫ ଫାର୍ମାସୀର ଅଧ୍ୟାପକ ପ୍ରବୀଣ କୁମାର ମିଶାଲ , ସମୀକ୍ଷା ପଣ୍ଡା, ପ୍ରତ୍ୟାଶା ମୁନି ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପରେ ବିଶ୍ୱବିଦ୍ୟାଳୟର ନିକଟରେ ଥିବା ନରସିଂହମୁଣ୍ଡା ଗ୍ରାମରେ ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧ (ଏ ଏମ୍ ଆର୍) ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

