ଗଞ୍ଜାମ, (୦୮/୧୧) : ଆପ୍ର : ବିପର୍ଯ୍ୟୟର ଅନ୍ଧକାର ଭିତରେ ଖୁସିର ଆଲୋକ ଭରିବାକୁ ପ୍ରଶାସନର ଏକ ନିଆରା ପ୍ରୟାସ ।
ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଙ୍କ ମନରେ ଆଶା ଓ ଆନନ୍ଦ ଭରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି ଜିଲ୍ଲା ପ୍ରଶାସନ । ଏହି ଅବସରରେ ହାଣ୍ଡିଘର ଗ୍ରାମରେ ପହଞ୍ଚି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଶନ ବାତ୍ୟା ଓ ବନ୍ୟା ପ୍ରଭାବିତ ପରିବାରର ସଦସ୍ୟ ଏବଂ ଗ୍ରାମର ଶିଶୁମାନଙ୍କୁ ବସ୍ତ୍ର, ମିଠା ଓ ଦୀପ ପ୍ରଦାନ କରି ଦୀପାବଳିର ଖୁସି ବାଣ୍ଟିଥିଲେ ।
ଶିଶୁମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ମନରେ ଆନନ୍ଦ ଓ ନୂଆ ଆଶାର ସଞ୍ଚାର କରିଥିଲେ । ଜିଲ୍ଲାପାଳଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପିଡି ସଚ୍ଚିଦାନନ୍ଦ ନାୟକ, ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ମାନବିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ବନ୍ୟାରେ ସର୍ବାଧିକ ପ୍ରଭାବିତ ପୁରୁଷୋତ୍ତମପୁର ସହରର କନକା ନଦୀପଦର ସାହିରେ ଉପଜିଲ୍ଲାପାଳ ସୁଭାଶିଷ ବରାଳ ରହି ବସ୍ତିବାସିନ୍ଦାଙ୍କ ସହ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ସେ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ପ୍ରଦାନ କରିବା ସହ କୁନି କୁନି ପିଲାମାନଙ୍କ ସହ ଉତ୍ସବର ଖୁସି ବାଣ୍ଟିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବନ୍ୟାରେ ଅନେକ ପରିବାରଙ୍କ ଘରଦ୍ୱାର, ଜୀବିକା ଓ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପର୍ବର ଏହି ଅବସରରେ ପ୍ରଶାସନର ଏଭଳି ମାନବିକ ପଦକ୍ଷେପ ବିପନ୍ନଙ୍କ ମନରେ ଆଶ୍ୱାସନା ଓ ଆତ୍ମବିଶ୍ୱାସ ଭରିଛି । ଏହାପରେ କେ ଏନ ପୁର ଗ୍ରାମରେ ପହଞ୍ଚି ଜିଲ୍ଲପାଳ ଏହି ଉପହାର ମଧ୍ୟ ପ୍ରଦାନ କରିଥିଲେ ।

