ଛତ୍ରପୁର, (୦୧/୧୧) : ଆପ୍ର : ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଗଞ୍ଜାମରେ ଜରୁରୀକାଳୀନ ବୈଠକ । ମତ୍ସ୍ୟଜୀବୀମାନେ ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ବନ୍ୟା ବିପନ୍ନଙ୍କୁ ଅତିଥିଙ୍କ ଭଳି ସମ୍ମାନ ଓ ଆତ୍ମୀୟତାର ସହ ବ୍ୟବହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ । ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଗୁଆ ସୂକ୍ଷ୍ମ ଯୋଜନା ପ୍ରସ୍ତୁତ କରିବା ସହ ଆଜି ରାତି ସୁଦ୍ଧା ବିପଦସଂକୁଳ ସ୍ଥାନରେ ରହୁଥିବା ସମସ୍ତଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବିପଦସଂକୁଳ ସ୍ଥାନରେ ଯେପରି ଜଣେ ହେଲେ ବ୍ୟକ୍ତି ରହିବେ ନାହିଁ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ଗ୍ରାମରେ ମାଇକ୍ ଯୋଗେ ସଚେତନତା ଓ ସତର୍କ ସୂଚନା ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

