ବ୍ରହ୍ମପୁର, (୧୭/୦୬) : ଆପ୍ର : ମାତିଛି ପାଗଳ ମାଙ୍କଡ଼ । ପ୍ରାୟ ୧୦ ଜଣଙ୍କୁ କାମୁଡ଼ି ଘାଇଲା କଲାଣି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗାଁରେ ପାଗଳ ମାଙ୍କଡ଼ ଆତଙ୍କ ।
ଗ୍ରାମରେ ହଠାତ୍ ମାଙ୍କଡ଼ମାନେ ଉତ୍ପାତ ସୃଷ୍ଟି କରି ୧୦ ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡ଼ିଛି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା । ବର୍ତ୍ତମାନ ସମସ୍ତ ଆହତଙ୍କର ଚିକିତ୍ସା ଆଡ଼ପଦା କମ୍ୟୁନିଟି ହେଲଥ ସେଣ୍ଟରରେ ଚାଲିଛି । ଘଟଣା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଏହି ମାଙ୍କଡ଼ ଆତଙ୍କରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି । ଯିଏ ବାହାରକୁ ବାହାରୁଛନ୍ତି ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି । ଭୟରେ ଗ୍ରାମବାସୀ ହାତରେ ବାଡି ଧରି ଵାହାରୁଛନ୍ତି। ବନ ବିଭାଗ ପକ୍ଷରୁ ଶୀଘ୍ର ପଦକ୍ଷେପ ନେଇ ମାଙ୍କଡ଼ ଉତ୍ପାତକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟମାନେ ଦାବି କରିଛନ୍ତି । ମାଙ୍କଡ଼ଙ୍କୁ ଧରିବା ପାଇଁ ପାଞ୍ଚଜଣିଆ ଟିମ୍ ଗଠନ କରିଛି ବନବିଭାଗ ।

