Homelocalସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀ ନବାଗତଙ୍କ ଭବ୍ୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀ ନବାଗତଙ୍କ ଭବ୍ୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ରାୟଗଡା, (୯/୭) : ଆପ୍ର : ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ରାୟଗଡା ପକ୍ଷରୁ ବୁଧବାର ଏକାଦଶ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ -ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ- ଆୟୋଜିତ ହୋଇଥିଲା ।

ପ୍ରାୟ ୧୩୦ଜଣ ନବାଗତ ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଓ ପରିବାର ସଦସ୍ୟଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଶିକ୍ଷାଜୀବନର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢ଼ୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀଯୁକ୍ତ ପାଢ଼ୀ ଶୃଙ୍ଖଳା, ନୈତିକତା, ସମୟାନୁବର୍ତ୍ତିତା ଓ ନିରନ୍ତର ପରିଶ୍ରମ ହେଉଛି ସଫଳତାର ମୂଳମନ୍ତ୍ର । ଏହି ଆଧୁନିକ ଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଗୁରୁତ୍ୱ, ଏହାର ସକାରାତ୍ମକ ବ୍ୟବହାର ଏବଂ ଭବିଷ୍ୟତରେ AI-ଭିତ୍ତିକ କ୍ୟାରିଅର ସୁଯୋଗ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଜ୍ଞାନ ସହ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଦ୍ୟାଳୟର ନିୟମାବଳୀ, ଶୃଙ୍ଖଳା, CBSE ନିର୍ଦ୍ଦେଶାବଳୀ, ଉପସ୍ଥାନ, ଶ୍ରେଣୀକାର୍ଯ୍ୟ, ଗୃହକାର୍ଯ୍ୟ, ଆଭ୍ୟନ୍ତରୀଣ ମୂଲ୍ୟାୟନ, ପରୀକ୍ଷା ପ୍ରଣାଳୀ, ୟୁନିଫର୍ମ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ସେଞ୍ଚୁରିଅନ ସ୍କୁଲ ମୋବାଇଲ୍ ଆପ୍ ର ଉପସ୍ଥାପନା । ଏହି ଆପ୍ ମାଧ୍ୟମରେ ଅଭିଭାବକମାନେ ଘରେ ବସି ନିଜ ସନ୍ତାନଙ୍କର ଦୈନିକ ଉପସ୍ଥାନ, ଶ୍ରେଣୀକାର୍ଯ୍ୟ, ପରୀକ୍ଷା ସୂଚନା, ଫଳାଫଳ, ବିଜ୍ଞପ୍ତି ଏବଂ ବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଅନଲାଇନ୍‌ରେ ସହଜରେ ପାଇପାରିବେ ବୋଲି ପ୍ରଦର୍ଶନ କରାଯାଇଥିଲା । ଏହି ଅତ୍ୟାଧୁନିକ ଡିଜିଟାଲ୍ ବ୍ୟବସ୍ଥାକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସାର ସୁଅ ଛୁଟୁଛି ।

ବିଦ୍ୟାଳୟର ସବୁଜ-ସୁନ୍ଦର, ପ୍ରଦୂଷଣମୁକ୍ତ ଓ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ କ୍ୟାମ୍ପସ, ବିଶାଳ ଖେଳ ପଡ଼ିଆ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର ଓ ଛାତ୍ରବନ୍ଧବ ପରିବେଶ ଦେଖି ଅଭିଭାବକମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ବିଦ୍ୟାଳୟର ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ନୂତନ ପରିବେଶ ସହ ପରିଚିତ କରାଇବା, ଛାତ୍ର–ଅଭିଭାବକ–ବିଦ୍ୟାଳୟ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିବା ଏବଂ ଏକ ସଫଳ ଶିକ୍ଷାଯାତ୍ରାର ମଜବୁତ ଭିତ୍ତି ପ୍ରସ୍ତୁତ କରିବାରେ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଅଧ୍ୟାପିକା ସିମରନ ନାୟକ, ଐଶ୍ୱର୍ୟା ପଟନାୟକ ଓ ନିହାରିକା ପାତ୍ର ପରିଚାଳନା, ପ୍ରିନସିପାଲ ଶ୍ରୀ ରାଧାକୃଷ୍ଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments