ସୁବର୍ଣ୍ଣପୁର, (୦୮/୦୭) ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଗ୍ରାମର ମହେନ୍ଦ୍ର ଥନାପତି (୫୦)ଙ୍କ ଗତ କାଲି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।
ସେ ଜଣେ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଯୁବ ମୋର୍ଚାର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ । ସେ ଜଣେ ଶାନ୍ତ ଶିଷ୍ଟ ଭଦ୍ର ଓ ସରଳ ସ୍ଵଭାବୀ ଥିବାରୁ ଚରଦା ତଥା ବିନିକା ଅଞ୍ଚଳରେ ବେଷ ଜଣାଶୁଣା ଓ ପରିଚିତ ଥିଲେ । ମିଳିଥିବା ସୂଚନା ଏହି ଯେ ତାଙ୍କର ପତ୍ନୀ ଓ ଛୋଟ ପୁଅ ଟିଏ ମଧ୍ୟ ଅଛନ୍ତି । ତାଙ୍କ ପତ୍ନୀ କୌଣସି ଚାକିରୀ କରୁଥିବାରୁ ସୁଦୂର ଛତିଶଗଡ ରାଜ୍ୟ ବେହେରା ପାଲି ତାଙ୍କ ପୁଅକୁ ନେଇ ପାପ ଘରେ ରହୁଥିଲେ । ତେଣୁ ମହେନ୍ଦ୍ର ଚରଦାର ତାଙ୍କ ଘରେ ଏକୁଟିଆ ରହୁଥିଲେ ଓ ପ୍ରତେକ ଦିନ ଫୋନରେ ଓ ଭିଡ଼ିଓ କଲ ମାଧ୍ୟମରେ ମହେନ୍ଦ୍ର ତାଙ୍କ ପତ୍ନୀ ଓ ପୁଅ ସହିତ କଥା ହେଉଥିଲେ ।
ଗତକାଲି ତାଙ୍କ ପତ୍ନୀ ଅପରାହ୍ନରୁ ମହେନ୍ଦ୍ରଙ୍କୁ ବାରମ୍ବାର ଫୋନ ଓ ଭିଡ଼ିଓ କଲ କଲେ ମଧ୍ୟ କେହି ଫୋନ ଉଠାଉ ନଥିବାରୁ ତାଙ୍କ ପତ୍ନୀ ପ୍ରାୟ ରାତି ୧୧ ଟା ସମୟରେ ପଡିସା ଘରର ତାଙ୍କ ସମ୍ପର୍କୀୟଙ୍କୁ ଟିକିଏ ଦେଖିବା ପାଇଁ କହିଥିଲେ । ତେଣୁ ସମ୍ପର୍କୀୟ ଲୋକେ ମହେନ୍ଦ୍ରଙ୍କ ଘରକୁ ଯାଇ ଦେଖିଲେ ଯେ ମହେନ୍ଦ୍ର ତାଙ୍କ ବାଡ଼ିରେ କୂଅ ପାଖରେ ଆଚେତ ହୋଇ ପଡିଛନ୍ତି । ଏହି ଖବର ପାଇ ସାଇପଡିଶା ସମସ୍ତେ ସେଠାରେ ରୁଣ୍ଡ ହୋଇ ଗଲେ ଏବଂ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ବିନିକା ଡାକ୍ତରଖାନା ଅଣାଗଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପାରିପାର୍ଷିକ ସ୍ଥିତକୁ ଦେଖିଲେ ମହେନ୍ଦ୍ର କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି । ଏନେଇ ତାଙ୍କ ଭାଇ ସୁରେନ ଥନାପତି ବିନିକା ଥାନାରେ ଏକ ଏତଲା ମଧ୍ୟ ଦେଇଛି । ଖବର ପାଇ ବିନିକା ପୁଲିସ ହସ୍ପିଟାଲକୁ ପହଂଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ କରି ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ବିନିକା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜରି ରଖିଛି ।
ଖବର ପ୍ରଚାରିତ ହେବାରୁ ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ, ସୁଧୀର ପଣ୍ଡା, ହୃଷିକେଶ କର୍ଣ୍ଣ, ସଂଗ୍ରାମ କେଶରୀ ନାୟକ, ନାଗେଶ୍ୱର ବାଗ, କୁଶ ଭୋଇ, ସୁମନ୍ତ ସାହୁ, ନରେନ୍ଦ୍ର ସାହୁ, ସ୍ଵପ୍ନେଶ୍ଵର ପୃଷ୍ଟି, ଉମାକାନ୍ତ ଦୀପ, ଗୋବିନ୍ଦା ଝାଙ୍କର, ଅନିଲ ନାଏକ ପ୍ରମୁଖ କଂଗ୍ରେସ କର୍ମୀ ଓ ଚରଦା ଗ୍ରାମର ଧୀବର ବେହେରା, ଚତୁର୍ଭୁଜ ଥନାପତି, ସୁରେନ୍ଦ୍ର ଥନାପତି, ଶଙ୍ଖଚୂଡ଼ ଥନାପତି, ବଦ୍ରୀନାଥ ଥନାପତି, ବିକାଶ ବାଗ, ଗୌରୀ ବାଗ ଆଦି ଅନେକ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ ଓ ଶବଦାହ କାର୍ଯ୍ୟରେ ଯୋଗ ଦେଇଥିଲେ । ତାଙ୍କ ଭାଇ ସୁରେନ ଥନାପତି ମୁଖାଗିନୀ ଦେଇଥିଲେ । ଚରଦା ନିକଟ ଚୌକିଜୋର ସ୍ଥିତ ସ୍ମଶାନରେ ତାଙ୍କର ଶେଶାକୃତ ସମ୍ପନ୍ନ କରାଯାଇଛି । ତାଙ୍କର କେହି ରୋଜଗାରକ୍ଷମ ନଥିବାରୁ ଏବଂ ଏକ ଛୋଟ ଛୁଆ ଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ସରକାରଙ୍କୁ ଦାବୀ ଜଣାଇଛନ୍ତି ।

