ସୁବର୍ଣ୍ଣପୁର, (୨୮/୦୭) : ଆପ୍ର : ନିର୍ବାଚନୀ ନାମାବଳୀର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଓଡ଼ିଶା ସରକାରଙ୍କ ଗୃହ (ନିର୍ବାଚନ) ବିଭାଗ ଅଧୀନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ପର୍ଯ୍ୟବେକ୍ଷକ ଶାଶ୍ୱତ ପ୍ରଧାନ (ଓଏଏସ୍) ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଏସ୍ଆଇଆର୍ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି ।
ଗସ୍ତ ସମୟରେ ସେ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ସୋନପୁର ଏବଂ ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ସେ ବିଭିନ୍ନ ଚୟନିତ ମତଦାନ କେନ୍ଦ୍ର ପରିଦର୍ଶନ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଶ୍ରୀ ପ୍ରଧାନ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ), ସୁପରଭାଇଜର ଏବଂ ଅନ୍ୟାନ୍ୟ ନିର୍ବାଚନ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର ଯାଞ୍ଚ କରିଥିଲେ । ଘରକୁ ଘର ଯାଇ ଯାଞ୍ଚ, ଭୋଟରଙ୍କ ତଥ୍ୟ ସଂଗ୍ରହ ଓ ନିର୍ବାଚନୀ ନାମାବଳୀ ଅଦ୍ୟତନ ପ୍ରକ୍ରିୟାକୁ ପରଖିବା ସହ ନାମାବଳୀ ସଂଶୋଧନ କାର୍ଯ୍ୟରେ ସଠିକତା, ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ।
ପରେ ସେ ସୁବର୍ଣ୍ଣପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରିଚାଳନା ସମ୍ବନ୍ଧୀୟ ସାମଗ୍ରିକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରେ ସେ ଅଭିଲେଖ, ତଦାରଖ ବ୍ୟବସ୍ଥା, ରିପୋର୍ଟିଂ ପ୍ରଣାଳୀ ଏବଂ ବିଭିନ୍ନ ସ୍ତରର ସମନ୍ୱୟ ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଏହି ଅବସରରେ ନିର୍ବାଚନ ପରିଚାଳନା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି, କ୍ଷେତ୍ର ସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସୁଚାରୁ ଭାବେ କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନ ଭୋଟର ସଚେତନତା ବୃଦ୍ଧି ସହ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶା ବଳୀର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଥିଲେ ।
ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସମାପ୍ତ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିର୍ବାଚନୀ ନିୟମା ବଳୀରେ ସାମିଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରତିନିଧିଙ୍କ ଏହି ଗସ୍ତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ତଦାରଖ କୁ ଆହୁରି ସୁଦୃଢ଼ କରିବା ସହ ଜିଲ୍ଲାରେ ନିର୍ବାଚନୀ ନାମାବଳୀ ସଂଶୋଧନ କାର୍ଯ୍ୟର ଗୁଣାତ୍ମକ ମାନ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ବୋଲି ବୈଠକରେ ଆଶା ପ୍ରକାଶ ହୋଇଛି । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟ ରୂପା ରଥଙ୍କ ସମେତ ସୁବର୍ଣ୍ଣପୁର କଲେକ୍ଟରେଟ୍ ଏବଂ ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

