ସୁବର୍ଣ୍ଣପୁର, (୨୮/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଲଗାତାର ତିନି ଧରି ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।
ବର୍ଷା ଯୋଗୁଁ ସବୁଆଡ଼େ ଜଳମୟ । ସେ ପଟେ ମହାନଦୀ , ତେଲ ,ଅଙ୍ଗ ,ଜିରାନଦୀ ସମେତ ସଖା ନାଳ ନଳିଆ ଗୁଡ଼ିକ ରେ ପ୍ରଖର ସ୍ରୋତରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ ଚାଷ ଜମି ଜଳମଗ୍ନ ହୋଇ ରହିଛି। ସୁବର୍ଣ୍ଣପୁର ସହର ସମେତ ବିନିକା ତରଭା ଇତ୍ୟାଦି ବିଭିନ୍ନ ଅଞ୍ଚଳର ସ୍କୁଲ , କଲେଜ ଅଙ୍ଗନୱାଡ଼ି ପରିସରରେ ୨/୪ ଫୁଟ ପାଣି ଜମି ରହିଛି । ଏହାକୁ ଦେଖି ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସୋମବାର ଛୁଟି ଘୋଷଣା କରିଥିଲେ । ବିନିକା ସହରର ଗୁଲାପଡା ତଳି ବ୍ରିଜ ଉପରେ ୪ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି ବିନିକା ଗଣେଶପୁର ରାସ୍ତା ବିଛିନ୍ନ ହୋଇପଡିଛି l ଗଣେଶପୁର ଗାଁ ଦାଣ୍ଡରେ ୩ ଫୁଟ ପାଣି ଯାଉଛି ଗାଈ ଗୋରୁ ଛେଳି ମେଣ୍ଢା ବାହାରକୁ ଆସି ପାରୁ ନାହାନ୍ତି l ବିନିକା ଗୁଲାପଡା,ଝରାପଡା ଆଦି ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ବର୍ଷା ଲାଗି ରହିଥିବା ରୁ ଚାଷ କାମ ରେ ବାଧା ସୃଷ୍ଟି ହୋଇଛି l ଶତାଧିକ ମାଟିଘର ଭାଙ୍ଗି ଯାଇଛି l ପ୍ରଶାସନ ମାଟିଘରେ ରହୁଥିବା ଲୋକଙ୍କୁ ଶୀଘ୍ର ପଲିଥିନ ଯୋଗାଇବା କୁ ସାଧାରଣ ରେ ଦାବୀ ହେଉଛି । ସେହିପରି ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ଦୁଇ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି । ଯେଉଁଥି ପାଇଁ ଜୁଲୁଣ୍ଡା ଗ୍ରାମ ରୁ ଶିଆଳି ଛକକୁ ଯାତାୟତ ଠପ ହୋଇଯାଇଛି ।ଯେଉଁ ମାନଙ୍କ ଜରୁରୀ କାମ ରହିଛି ସେହିମାନେ ୧୫ କିଲୋମିଟର ବୁଲିକି ଯିବାଆସିବା କରୁଛନ୍ତି । ଏହି ଛୋଟ ପୋଲ ଉପରେ ତିନି ଗୋଟି ପଞ୍ଚାୟତ ଲୋକେ ଯିବା ଆସିବା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଆଣିଦେଇଛି ଦୁଃଖ । ସାଧାରଣତଃ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ଅନେକ ବାଟ ଅତିକ୍ରମ କରିବାକୁ ହେବ । ତୁରନ୍ତ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି । ଜିଲ୍ଲାରେ ଏବେ ତୁହାକୁ ତୁହା ବର୍ଷା ଲାଗି ରହିଛି ।

