ଭୁବନେଶ୍ବର, (୦୧/୧୦) : ଆପ୍ର : ରବି ଫସଲର MSP ବଢ଼ାଇଲା କେନ୍ଦ୍ର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି ।
ଗହମ, ବାର୍ଲି, ଚଣା, ମସୁର ଓ ସୋରିଷ ସମେତ ବିଭିନ୍ନ ରବି ଫସଲର MSP ଉତ୍ପାଦନ ଖର୍ଚ୍ଚଠାରୁ ଅତିକମରେ ୫୦ ପ୍ରତିଶତ ଅଧିକ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଗହମ କ୍ଷେତ୍ରରେ ଚାଷୀଙ୍କୁ ମିଳିବ ବଡ଼ ଲାଭ । କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଗହମର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍ ପିଛା ୧,୨୬୪ ଟଙ୍କା ରହିଛି । ଏହା ତୁଳନାରେ MSP କ୍ୱିଣ୍ଟାଲ୍ ପିଛା ୨,୬୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ଉତ୍ପାଦନ ଖର୍ଚ୍ଚଠାରୁ ଗହମର MSP ଦୁଇଗୁଣାରୁ ମଧ୍ୟ ଅଧିକ ।
ସେହିପରି ବାର୍ଲିର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍ ପିଛା ୧,୪୪୭ ଟଙ୍କା ରହିଥିବାବେଳେ MSP ୨,୨୮୬ ଟଙ୍କା ଧାର୍ଯ୍ୟ ହୋଇଛି । ଏହା ଉତ୍ପାଦନ ଖର୍ଚ୍ଚଠାରୁ ପ୍ରାୟ ୫୮ ପ୍ରତିଶତ ଅଧିକ ବୋଲି କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ରର ଆକଳନ ଅନୁସାରେ ଚଳିତ ରବି ଋତୁରେ ପ୍ରାୟ ୩୨୪ ଲକ୍ଷ ମେଟ୍ରିକ୍ ଟନ୍ ଫସଲ କ୍ରୟ ହେବ । ଏହି କ୍ରୟ ବାବଦରେ MSP ଜରିଆରେ ଚାଷୀଙ୍କ ପାଖକୁ ପ୍ରାୟ ୯୦ ହଜାର ୯୬୨ କୋଟି ଟଙ୍କା ପହଞ୍ଚିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ଲାଭଜନକ ମୂଲ୍ୟ ଦେବା ଉଦ୍ଦେଶ୍ୟରେ MSP ନିର୍ଦ୍ଧାରଣ କରାଯାଉଥିବା କେନ୍ଦ୍ରର ମତ। ସରକାରଙ୍କ ଘୋଷିତ ନୀତି ଅନୁସାରେ ନିର୍ଦ୍ଧାରିତ ଫସଲ ପାଇଁ MSP ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ସ୍ତରରେ ରଖାଯାଉଛି ।

