ଧର୍ମଗଡ, (୦୧/୧୦) : ଆପ୍ର : ୨୬ ନମ୍ୱର୍ ଜାତୀୟ ରାଜପଥ ମୋଟେର ଛକରେ ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ମୃତକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତି ନାଗ । ଦେବନ୍ତି ତାଙ୍କ ଅସୁସ୍ଥ ଶିଶୁ କୁ ଡାକ୍ତରଙ୍କୁ ଦେଖାଇ ସ୍ୱାମୀ ଙ୍କ ସହିତ ବାଇକ୍ ରେ ଘରକୁ ଫେରୁଥିଲେ । ମୋଟେର ଛକରେ ଏକ ଟ୍ରାକ୍ଟର ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା । ଏଥିରେ ଦେବନ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଓ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ପରେ ପରିବାରଲୋକେ କ୍ଷତିପୂରଣ ଦାବିରେ ମୋଟେର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।
ଫଳରେ ଭବାନୀପାଟଣା ରୁ ଜୟପୁର, ମୁଖୀଗୁଡ଼ା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୋଟେର ଫାଣ୍ଡି ଓ କୋକସରା ପୁଲିସ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଅବରୋଧ ଜାରି ରହିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଖବର ଲେଖାଯିବା ବେଳକୁ ଜାତୀୟ ରାଜପଥ ଅବରୋଧ ଜାରି ରହିଛି ।

