HomeBlogଚାଷୀ ସରକାର ଗଠନ ପାଇଁ ନବନିର୍ମାଣ କୃଷକ ସଂଗଠନ ର ପୃଷ୍ଠପୋଷକତା ସଦସ୍ୟ ସଂଗ୍ରହ ଅଭିଯାନ

ଚାଷୀ ସରକାର ଗଠନ ପାଇଁ ନବନିର୍ମାଣ କୃଷକ ସଂଗଠନ ର ପୃଷ୍ଠପୋଷକତା ସଦସ୍ୟ ସଂଗ୍ରହ ଅଭିଯାନ

ସୁବର୍ଣ୍ଣପୁର , (୨୪/୦୫)ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପଞ୍ଚାୟତର ରେଡମ୍ ଗ୍ରାମରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରୁ ଚାଷୀଙ୍କ ହକ୍ ଓ ସ୍ୱାଭିମାନ ରକ୍ଷା ପାଇଁ ଏକ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଛି। ସଙ୍ଗଠନର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସତ୍ତା ନୁହେଁ ବରଂ ସମ୍ପୂର୍ଣ୍ଣ ବ୍ୟବସ୍ଥାର ପରିବର୍ତ୍ତନ କରିବା।e08042d2 79bc 479b 8743 b9e2c3756e3b

ଏହି ପରିପ୍ରେକ୍ଷୀରେ ସଙ୍ଗଠନକୁ ବ୍ୟକ୍ତି-କେନ୍ଦ୍ରିକରୁ ‘ବ୍ୟବସ୍ଥା-କେନ୍ଦ୍ରିକ’ କରିବା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଏହି ଆପ୍ ଜରିଆରେ ଚାଷୀମାନେ ମଣ୍ଡି ସମସ୍ୟା, ସାର ଓ ଅୌଷଧର ଅନିୟମିତତା, ଦୁର୍ନୀତି, ହସ୍ପିଟାଲ୍ ଅବହେଳା କିମ୍ବା ଚାଷୀଙ୍କୁ ହେଉଥିବା ଅପମାନ ଆଦି ସମସ୍ତ ସମସ୍ୟା ବିରୋଧରେ ସିଧାସଳଖ ସଙ୍ଗଠନ ନିକଟରେ ଅଭିଯୋଗ କରିପାରିବେ, ଯାହା ଅନ୍ୟ ସମସ୍ତ ଗ୍ରାମର ଚାଷୀଙ୍କ ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ।

ପ୍ରଶାସନିକ ସ୍ତରରେ ଚାଲିଥିବା ଲୁଟ୍ ଏବଂ ଭ୍ରଷ୍ଟାଚାର ବିରୋଧରେ ଏକ ପରିସଂଖ୍ୟାନ ଭିତ୍ତିକ ସାଂଗଠନିକ ସଂଗ୍ରାମ କରିବା ପାଇଁ ପ୍ରତ୍ୟେକ ବୁଥ୍‌ରେ ୫ ଜଣ ଲେଖାଏଁ ବୁଥ୍ ମ୍ୟାନେଜର ନିଯୁକ୍ତ କରାଯିବ। ଏହି ବୁଥ୍ ମ୍ୟାନେଜରମାନେ ସାଧାରଣ ଜନତା ଏବଂ ଚାଷୀଙ୍କ ସମସ୍ତ ସମସ୍ୟାର ସର୍ଭେ କରି ଏକ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବେ। ଏହା ସହିତ ପ୍ରତ୍ୟେକ ବ୍ଲକରେ ଅତିକମରେ ୨୦ ଜଣ ଚାଷୀ ପୁଅ-ଝିଅ ସ୍ଥାୟୀ ଭାବେ କାର୍ଯ୍ୟ କରିବେ, ଯେଉଁମାନେ ଚାଷୀଙ୍କ ଅଭିଯୋଗର ସମାଧାନ କରିବା ସହ ସର୍ଭେ କାର୍ଯ୍ୟର ତଦାରଖ କରି ପ୍ରଶାସନ ସହିତ ସେତୁ ସଦୃଶ କାର୍ଯ୍ୟ କରିବେ। “ପାର୍ଟି ସରକାର ହେଲା ବେକାର, ଆମର ଦରକାର ଚାଷୀ ସରକାର” ଅଭିଯାନ ଅଧୀନରେ ଏହି ଯୁବକ ଯୁବତୀମାନଙ୍କୁ ୱାର୍ଡଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଭବିଷ୍ୟତର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ତାଲିମ ଦିଆଯିବ। ସଙ୍ଗଠନର ସ୍ପଷ୍ଟ ମତ ଯେ ‘ନେତ୍ର’ ଶବ୍ଦରୁ ହିଁ ନେତୃତ୍ୱ ସୃଷ୍ଟି ହୁଏ, ତେଣୁ କେବଳ ଭୋଟ୍ ମାଗୁଥିବା ବ୍ୟକ୍ତି ନୁହଁ, ବରଂ ଦୂରଦୃଷ୍ଟିସମ୍ପନ୍ନ ହୋଇ ସମାଜର ସ୍ୱୀକୃତି ଓ ପୃଷ୍ଠପୋଷକତାରେ ହିଁ ପ୍ରକୃତ ଚାଷୀ ନେତା ସୃଷ୍ଟି ହେବେ ଏବଂ ଏହି ଚାଷୀ ସରକାରର ମୂଳଦୁଆ ସୋନପୁର ଜିଲ୍ଲାରୁ ହିଁ ପଡ଼ିବ।8ca77834 666d 439a bb17 f1b6529ef3c6

ଏହି ମହତ୍ ପ୍ରସ୍ତାବରେ ସମ୍ପୂର୍ଣ୍ଣ ସହମତ ହୋଇ ରେଡମ୍ ଗ୍ରାମ ସମେତ କୋଟସମଲାଇ ପଞ୍ଚାୟତର ଚାଷୀମାନେ ଏକ ସ୍ୱରରେ ସଙ୍ଗଠନର ପୃଷ୍ଠପୋଷକତା ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅଭିଯାନର ପରିଚାଳନା ପାଇଁ ଚାଷୀମାନେ ନିଜ ଇଚ୍ଛାରେ ଜଣ ପିଛା ୫୦ କେଜିରୁ ୧ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କିମ୍ବା ସମପରିମାଣର ଅର୍ଥ ଦାନ କରି ଏକ ସ୍ୱତନ୍ତ୍ର ପାଣ୍ଠି ସଂଗ୍ରହର ସଂକଳ୍ପ ନେଇଛନ୍ତି। ବୈଠକରେ ଚାଷୀମାନେ ମତପ୍ରକାଶ କରିଛନ୍ତି ଯେ ସଙ୍ଗଠନ ପ୍ରଥମେ ମହାନଦୀରୁ ହରିହର ଜୋର୍ ସଂଯୋଗୀକରଣ, ମଣ୍ଡି ବ୍ୟବସ୍ଥାରେ ସ୍ୱଚ୍ଛତା, ସାର ଓ ଅୌଷଧର କଳାବଜାରୀ ତଥା ନକଲିକରଣର ଦୃଢ଼ ବିରୋଧ, ଅମଳ ଆଧାରରେ ଫସଲ ବୀମାର ସୁନିଶ୍ଚିତତା ଏବଂ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଚାଷୀଙ୍କୁ ଉଚିତ୍ ସମ୍ମାନ ସହ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ପ୍ରଦାନ ଉପରେ ଜୋର୍ ଦେଉ। ପରିଶେଷରେ, ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଏହି ଧାରାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନ ସମାଜ ସ୍ୱୀକୃତ, ଚାଷୀ କେନ୍ଦ୍ରିତ ଓ ଯୁବ ଚାଷୀ ନେତୃତ୍ୱ କେନ୍ଦ୍ରିତ ହେବାର ଏକ ଶକ୍ତ ମୂଳଦୁଆ ସ୍ଥାପନ ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments