Homelocalବିଶ୍ୱ କର୍ଦ୍ଦମ ଦିବସ ପାଳିତ, ଦେହରେ କାଦୁଅ ବୋଳି ହୋଇ ଦେଲେ ସଚେତନତାର ବାର୍ତ୍ତା

ବିଶ୍ୱ କର୍ଦ୍ଦମ ଦିବସ ପାଳିତ, ଦେହରେ କାଦୁଅ ବୋଳି ହୋଇ ଦେଲେ ସଚେତନତାର ବାର୍ତ୍ତା

ବାରଙ୍ଗ, (୧୭/୦୬) : ଆପ୍ର : ବିଶ୍ୱ କର୍ଦ୍ଦମ ଦିବସ ପାଳିତ । ମାଟି ଆମର ମା’ ଓ ଜଳ ଆମର ଜୀବନ । ଉଭୟଙ୍କର ଉପସ୍ଥିତି ବିନା ଆମ ଜୀବନ ଧାରଣ ଅସମ୍ଭବ । ଆଉ ପବନ ଟିକିଏ ନ ହେଲେ ଏ ସବୁ ମୂଲ୍ୟହୀନ ।

ଏହି ମାଟି, ପାଣି, ପବନର ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେଇ ‘ବିଶ୍ୱ କର୍ଦ୍ଦମ ଦିବସ’ର ପରିକଳ୍ପନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରକୃତିପ୍ରେମୀ ମାନେ ମାଟି, ପାଣି, ପବନର ସୁରକ୍ଷା ନିମିତ୍ତ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ଵ କର୍ଦ୍ଦମ ଦିବସ ପାଳନ କରିଛନ୍ତି । ଉକ୍ତ ଦିବସ ପାଳନର ତାପ୍ତର୍ଯ୍ୟକୁ ଦେଖିବାକୁ ଗଲେ ୧୬ ଜୁନ୍ ୧୯୭୨ ମସିହାରେ, ସ୍ୱିଡେନ୍‌ର ଷ୍ଟକହୋମ୍‌ଠାରେ ଅନୁଷ୍ଠିତ ଜାତିସଂଘ ମାନବ ପରିବେଶ ସମ୍ମିଳନୀର ଉପସଂହାରରେ ଉପନୀତ ହୋଇଥିଲା । ସଂଯୋଗ ବଶତଃ ଏହା ଓଡ଼ିଶାର ରଜ ପର୍ବର ତୃତୀୟ ଦିବସ ଦିନ ପାଳନ ହୁଏ, ଯାହା ମାଟି ମାଆକୁ ସମ୍ମାନ ଦେବାର ଏକ ଅବସର।

ସଂପ୍ରତି ସମଗ୍ର ବିଶ୍ଵ ଏଲନିନୋ ଭଳି ତାପମାତ୍ରା ବୃଦ୍ଧି ଜନିତ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ବିକାଶ ମୂଳକ ପ୍ରକଳ୍ପ ନାଁରେ ଗଛ କଟାଯିବା ସହିତ ମାଟି, ପାଣି ଓ ପବନକୁ ପ୍ରଦୂଷିତ କରାଯାଉଛି । ଏହାକୁ ବିରୋଧ କରି ଅଂଶଗ୍ରହଣକାରୀ ମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ପରେ ପରେ ସେମାନେ ଶ୍ୟାମସୁନ୍ଦରପୁର ଗାଁ ଠାରେ ନିଜ ଦେହରେ କାଦୁଅ ବୋଳିହୋଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ଏହି ଅବସରରେ କାଦୁଅ କେବଳ ଆମ ମାନଙ୍କ ଶରୀର ପାଇଁ ଉପକାରୀ ନୁହେଁ ବରଂ ଆର୍ଦ୍ରଭୂମି ଆମ ପ୍ରକୃତି ଏବଂ ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା । ସର୍ବ ପ୍ରଥମେ ଉକ୍ତ ଦିବସର ପ୍ରତିଷ୍ଠାତା ପରିବେଶବିତ୍ ତଥା ସୁପ୍ରିମ କୋର୍ଟର ଆଇନଜୀବୀ ସ୍ୱର୍ଗତ ରାଧାକାନ୍ତ ତ୍ରିପାଠୀ କର୍ଦ୍ଦମ ଦିବସ ପାଳନର ମାର୍ମିକ ତତ୍ତ୍ୱକୁ କେମିତି ପ୍ରତ୍ୟେକ ଲୋକ ହୃଦୟଙ୍ଗମ କରିପାରିବେ ସେଥିପାଇଁ ସିଏ ଆରମ୍ଭ କରିଥିବା ଏହି ନିଆରା ପ୍ରୟାସକୁ ପ୍ରଶଂସା କରାଯାଇଥିଲା ।

ତାଙ୍କ ମତରେ ପଞ୍ଚ ଭୂତରେ ଗଢା ଆମ ଶରୀରରେ ମାଟି, ପାଣି ଏବଂ ପବନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଆମେ ସେଗୁଡ଼ିକର ସୁରକ୍ଷା ପ୍ରତି ଯତ୍ନବାନ ହେବା ଦରକାର । ଶେଷରେ ମାଟି, ପାଣି ଓ ପବନର ସୁରକ୍ଷା ପାଇଁ ଅଂଶଗ୍ରହଣକାରୀ ମାନେ ସଂକଳ୍ପ ପାଠ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ ସୀତାକାନ୍ତ ତ୍ରିପାଠୀ, ଅଜୟ ମୁଦୁଲି, ସଲିଳା ତ୍ରିପାଠୀ, ସୋମ ଆଶୀର୍ବାଦ ତ୍ରିପାଠୀ, ଆବାହନ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଦିବସର ଗୁରୁତ୍ୱକୁ ଉପଲବ୍ଧି କରି ଲିମିକା ବୁକ୍ ଅଫ୍ ରେକର୍ଡସ୍ ମଧ୍ୟ ଏହାକୁ ସ୍ଥାନିତ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments