Homelocalଓଡ଼ିଶାରେ ଡାକ୍ତରୀ ଶିକ୍ଷାକୁ ବଡ଼ ବୁଷ୍ଟ୍, ବଢ଼ିଲା ୩୧୮ ପିଜି ସିଟ୍

ଓଡ଼ିଶାରେ ଡାକ୍ତରୀ ଶିକ୍ଷାକୁ ବଡ଼ ବୁଷ୍ଟ୍, ବଢ଼ିଲା ୩୧୮ ପିଜି ସିଟ୍

ଭୁବନେଶ୍ୱର, (୦୭/୧୧) : ଆପ୍ର : ଓଡ଼ିଶାରେ ଡାକ୍ତରୀ ଶିକ୍ଷାକୁ ବଡ଼ ବୁଷ୍ଟ୍, ବଢ଼ିଲା ୩୧୮ ପିଜି ସିଟ୍ । ୧୪ଟି ବିଭାଗରେ ଅତିରିକ୍ତ ସିଟକୁ NMCର ମଞ୍ଜୁରି, ୬୨୦ରୁ ୯୩୮କୁ ବଢ଼ିଲା ମୋଟ ପିଜି ସିଟ୍ ସଂଖ୍ୟା ।

ଜାତୀୟ ମେଡିକାଲ କମିଶନ ବା NMC ଏହି ଅତିରିକ୍ତ ସିଟ୍ କୁ ଅନୁମୋଦନ ଦେଇଛନ୍ତି । ଏହାଫଳରେ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି । ୧୪ଟି ବିଭାଗରେ ଏହି ସିଟ୍ ବୃଦ୍ଧି ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ନୂଆ ସୁଯୋଗ ସୃଷ୍ଟି ହୋଇଛି । ବିଶେଷକରି ରାଜ୍ୟର ନୂଆ ମେଡିକାଲ କଲେଜଗୁଡ଼ିକୁ ଏହି ସମ୍ପ୍ରସାରଣରେ ଗୁରୁତ୍ୱ ମିଳିଛି । କେନ୍ଦୁଝରର ଧରଣୀଧର ମେଡିକାଲ କଲେଜରେ ୪୪ଟି, ସୁନ୍ଦରଗଡ଼ରେ ୨୨ଟି, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୩୨ଟି ଏବଂ ଫୁଲବାଣୀର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜରେ ୨୭ଟି ପିଜି ସିଟ୍ ଅନୁମୋଦିତ ହୋଇଛି । ଏହି ପାଞ୍ଚଟି ମେଡିକାଲ କଲେଜରେ ମୋଟ ୧୫୩ଟି ପିଜି ସିଟ୍ ଉପଲବ୍ଧ ହେବ ।

ସେହିପରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପିଜି ସିଟ୍ ସଂଖ୍ୟା ୨୦ରୁ ୫୩କୁ, ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜରେ ୧୦ରୁ ୫୪କୁ ଏବଂ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜରେ ୮ରୁ ୫୪କୁ ବୃଦ୍ଧି ପାଇଛି । କଟକ ଏସ୍ ସିବି ମେଡିକାଲ କଲେଜରେ ଆଉ ୧୭ଟି, ବୁର୍ଲା ଭିମ୍ ସାର୍ ରେ ୧୧ଟି, ଭୁବନେଶ୍ୱର ପିଜିଆଇଏମ୍ ଇଆର୍ ଓ କ୍ୟାପିଟାଲ ହସ୍ପିଟାଲରେ ୧୧ଟି ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଅତିରିକ୍ତ ସିଟ୍ ମଞ୍ଜୁର ହୋଇଛି ।

ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ଶିଶୁରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, ନିଶ୍ଚେତକ, ମାନସିକ ରୋଗ ଓ ଶ୍ୱାସରୋଗ ସମେତ ୧୪ଟି ବିଭାଗରେ ଏହି ସିଟ୍ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଅଧିକ ଏମ୍ ବିବିଏସ୍ ଡାକ୍ତର ଓଡ଼ିଶାରେ ରହି ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ । ଏଥିସହ ଆଗାମୀ ଦିନରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି, ଜିଲ୍ଲାସ୍ତରରେ ଉନ୍ନତ ଚିକିତ୍ସା ସୁବିଧା ଏବଂ ସରକାରୀ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments