ବଲାଙ୍ଗୀର, (୦୭/୧୧) : ଆପ୍ର : ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ।
୯ ଜଣ ଅତିଥି ଇନଷ୍ଟ୍ରକ୍ଟରଙ୍କ ଚାକିରି ଅବ୍ୟାହତ ରଖିବା ଏବଂ ନିୟମିତ ଦରମା ପ୍ରଦାନ ପାଇଁ ସେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ନେଉଥିବାବେଳେ ଶୁକ୍ରବାର ଭିଜିଲାନ୍ସ ଟିମ୍ ତାଙ୍କୁ ବଲାଙ୍ଗୀର ରେଳ ଷ୍ଟେସନ ନିକଟରୁ ଧରିଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, ସରକାରୀ ଆଇଟିଆଇରେ କାର୍ଯ୍ୟରତ ୯ ଜଣ ଅତିଥି ଇନଷ୍ଟ୍ରକ୍ଟରଙ୍କୁ ନିୟମିତ ଦରମା ପ୍ରଦାନ ଓ ଚାକିରିରେ ଅବ୍ୟାହତି ଦେବା ପାଇଁ ଅଧ୍ୟକ୍ଷ ସୁରେଶ ଦଳବେହେରା ୧ ଲକ୍ଷ ୧୫ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ସେମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅତିଥି ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ।
ଶୁକ୍ରବାର ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଅଧ୍ୟକ୍ଷଙ୍କୁ ଧରାଯାଇଥିଲା । ତାଙ୍କ ନିକଟରୁ ସମସ୍ତ ୩୦ ହଜାର ଟଙ୍କା ଜବତ କରାଯାଇଛି । ଏହି ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ଓଡିଶା ଭିଜିଲାନ୍ସ ।

