ଭୁବନେଶ୍ୱର, (୦୮/୦୭) : ଆପ୍ର : ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ରାଜ୍ୟର ପିଏମ୍-ଆବାସ ସମେତ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ସଂଯୋଜନ କରାଯିବ ।
ଶକ୍ତି କ୍ଷେତ୍ରର ସୁଧାର ଓ କେନ୍ଦ୍ର-ରାଜ୍ୟ ଯୋଜନାର ସମନ୍ୱୟ ନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପିଏମ୍-ଆବାସ ଓ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ସୌର ଶକ୍ତିର ସୁବିଧା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ୨୪ ଘଣ୍ଟିଆ ପରିଷ୍କାର ବିଜୁଳି ମିଳିବା ସହ ବିଦ୍ୟୁତ ବିଲ୍ ମଧ୍ୟ କମିବ। ତେବେ ଏହି ସୁବିଧା ହିତାଧିକାରୀଙ୍କ ପାଇଁ ଇଚ୍ଛାଧୀନ ରହିବ ।
ଯୋଜନା ଅନୁଯାୟୀ, ସହରାଞ୍ଚଳରେ ୧ କିଲୋୱାଟ୍ ଛାତ ଉପର ସୌର ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ୩୦ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୨୫ ହଜାର ଟଙ୍କା ସବସିଡି ଦେବେ । ଫଳରେ ହିତାଧିକାରୀଙ୍କୁ ମାତ୍ର ୧,୮୭୫ ଟଙ୍କା ଖର୍ଚ୍ଚରେ ଏହି ସୁବିଧା ମିଳିପାରିବ । ବୈଠକରେ ବିଦ୍ୟୁତ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ୩୭୦୮ କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ । ଏହା ସହ ବିପଜ୍ଜନକ ଝୁଲନ୍ତା ତାର ହଟାଇବା, ଇନସୁଲେଟେଡ୍ କଣ୍ଡକ୍ଟର ବ୍ୟବହାର, ସବ୍-ଷ୍ଟେସନ୍ରେ ଫେନ୍ସିଂ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ସମନ୍ୱୟରେ ଏହି ସମସ୍ତ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ମତରେ, ଏହି ପଦକ୍ଷେପ ରାଜ୍ୟରେ ସ୍ୱଚ୍ଛ ଶକ୍ତି ବ୍ୟବହାର ବୃଦ୍ଧି ସହ ବିଜୁଳି ବିଲ୍ ହ୍ରାସ ଏବଂ ନିରାପଦ ବିଦ୍ୟୁତ ବ୍ୟବସ୍ଥା ଗଠନରେ ସହାୟକ ହେବ।

