Homelocalଆଦିବାସୀଙ୍କ ଜମି, ଜଙ୍ଗଲ, ଜୀବିକା ଓ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଦାବିପତ୍ର

ଆଦିବାସୀଙ୍କ ଜମି, ଜଙ୍ଗଲ, ଜୀବିକା ଓ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଦାବିପତ୍ର

  • ଜଗନ୍ନାଥ ଧରୁଆଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ, କ୍ରାଇମ ବ୍ରାଞ୍ଚ ତଦନ୍ତ , ଅନ୍ୱେଷା ଯୋଜନା ପୁନଃଚାଲୁ ଓ ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାର ଦାବି କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।

କଣ୍ଟାବାଞ୍ଜି, (୭/୯) : ଆପ୍ର : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ କଣ୍ଟାବାଞ୍ଜି ତହସିଲଦାର କାର୍ଯ୍ୟାଳୟ ଘେରାଓ କରାଯାଇଥିଲା ।WhatsApp Image 2026 09 07 at 18.42.17

ଆଦିବାସୀ ସମାଜର ଜମି, ଜଳ, ଜଙ୍ଗଲ, ଜୀବନଜୀବିକା, ଶିକ୍ଷା, ନିଯୁକ୍ତି, ରାଜନୈତିକ ପ୍ରତିନିଧିତ୍ୱ ଓ ସାମ୍ବିଧାନିକ ଅଧିକାର ସମ୍ବଳିତ ବିଭିନ୍ନ ଦାବି ନେଇ ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାର୍ଫତ ଦାବିପତ୍ର ପ୍ରଦାନ କରାଯାଇଥିଲା । କଣ୍ଟାବାଞ୍ଜିସ୍ଥିତ ଜେ.ଏମ୍‌.ଜେ ପ୍ରାଇଭେଟ୍‌ ଇଂଲିଶ୍‌ ମିଡିୟମ୍‌ ସ୍କୁଲରେ ଅନ୍ୱେଷା ଯୋଜନା ଅଧୀନରେ ଆବାସିକ ସୁବିଧା ସହିତ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ର ଜଗନ୍ନାଥ ଧରୁଆଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ସ୍ଥଳେ ଗିରଫ କରାଯାଉ। ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ତଦାରଖ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଉ ।

ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ ସମ୍ବନ୍ଧୀୟ ୨୦୨୬ର ଏମ୍‌ଏମ୍‌ଡିଆର୍‌ ଆଇନଗତ ପରିବର୍ତ୍ତନକୁ ଆଦିବାସୀ ଓ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ଏହାର ପ୍ରତ୍ୟାହାର ଦାବି କରାଯାଇଛି। ଓଡ଼ିଶାର ଖଣିଜ ସମ୍ପଦର ବହୁଳ ଅଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବାରୁ ଖଣି ଉନ୍ନୟନ ନାମରେ ଆଦିବାସୀଙ୍କ ଜମି, ଜଙ୍ଗଲ, ଜଳସମ୍ପଦ, ପରିବେଶ, ସଂସ୍କୃତି ଓ ଜୀବିକା କ୍ଷତିଗ୍ରସ୍ତ ହେବା ଉଚିତ ନୁହେଁ। ଖଣିଜ ସମ୍ପଦ ଉପରେ ରାଜ୍ୟର ନ୍ୟାୟସଙ୍ଗତ ରାଜସ୍ୱ ଅଧିକାର ଓ ସ୍ଥାନୀୟ ଆଦିବାସୀ ସମୁଦାୟର ସ୍ୱାର୍ଥ ସୁରକ୍ଷିତ ରଖିବାକୁ ଦାବି ହୋଇଛି ।

ଦୀର୍ଘଦିନ ଧରି ଜଙ୍ଗଲ ଜମିରେ ଚାଷବାସ ଓ ବସବାସ କରିଆସୁଥିବା ଯୋଗ୍ୟ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ବନ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଓ ସାମୂହିକ ବନ ଅଧିକାର ସ୍ୱୀକୃତି ସହିତ ପଟ୍ଟା ପ୍ରଦାନ କରାଯାଉ। ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କ ନିକଟକୁ ବେଆଇନ ବିକ୍ରି, ବନ୍ଧକ, ଲିଜ୍‌ କିମ୍ବା ଚୁକ୍ତିନାମା ମାଧ୍ୟମରେ ହସ୍ତାନ୍ତର କରିବା ଉଦ୍ୟମକୁ ରୋକାଯାଉ। ପଞ୍ଚମ ଅନୁସୂଚୀ, ପ୍ରଯୁଜ୍ୟ ଜମି ସୁରକ୍ଷା ଆଇନ ଓ ବନ ଅଧିକାର ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଉ ।

ପେସା ଆଇନ ଓ ରାଜନୈତିକ ସଂରକ୍ଷଣ ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ ବା ପେସା ଆଇନର ପୂର୍ଣ୍ଣ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା କରାଯାଉ। ଗ୍ରାମସଭାର ଅଧିକାର, ସ୍ୱାୟତ୍ତ ଶାସନ, ପାରମ୍ପରିକ ସମ୍ପଦ ପରିଚାଳନା ଓ ଆଦିବାସୀ ସମୁଦାୟର ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ସୁରକ୍ଷା ଦିଆଯାଉ। ଆସନ୍ତା ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀରେ ଆଦିବାସୀଙ୍କ ପାଇଁ ପୂର୍ବବତ୍‌ ଜନସଂଖ୍ୟା ଅନୁପାତରେ ନ୍ୟାୟସଙ୍ଗତ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଦାବି କରାଯାଇଛି । ଅନ୍ୱେଷା ଯୋଜନା ପୁନଃଚାଲୁ ଓ ନୂତନ ନାମଲେଖା ୨୦୧୫ ମସିହାରୁ ଅନ୍ୱେଷା ଯୋଜନା ମାଧ୍ୟମରେ ଏସ୍‌ଟି ଓ ଏସ୍‌ସି ଛାତ୍ରଛାତ୍ରୀଙ୍କୁ ଘରୋଇ ଇଂଲିଶ୍‌ ମିଡିୟମ୍‌ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଆବାସିକ ସୁବିଧା ଯୋଗାଇ ଦିଆଯାଉଛି ।

ଏହି ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମକୁ ପୂର୍ବବତ୍‌ ଜାରି ରଖିବା ସହିତ ବନ୍ଦ ହୋଇଥିବା ନୂତନ ନାମଲେଖା ପୁନଃଆରମ୍ଭ କରାଯାଉ । ଚାଲୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ସରକାର ସୁନିଶ୍ଚିତ କରନ୍ତୁ । ଋଣ ରିହାତି, ନିଯୁକ୍ତି ଓ ଆର୍ଥିକ ସଶକ୍ତୀକରଣ ଆଦିବାସୀ ଚାଷୀ, ଉଦ୍ୟୋଗୀ ଓ ବ୍ୟବସାୟୀଙ୍କୁ କୃଷି, ଉଦ୍ୟୋଗ ଓ ବ୍ୟବସାୟ ଋଣରେ ପୂର୍ବଭଳି ୬୦ ପ୍ରତିଶତ ରିହାତି ପ୍ରଦାନ କରାଯାଉ । ଆର୍ଥିକ ଦୁର୍ବଳତା ଯୋଗୁଁ ଋଣ ପରିଶୋଧ କରିପାରୁ ନଥିବା ଯୋଗ୍ୟ ଆଦିବାସୀ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ଋଣ ରିହାତି ଓ ପୁନର୍ବାସ ବ୍ୟବସ୍ଥା କରାଯାଉ। ଆଇଟିଡିଏ, ମାଡା ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ନିଯୁକ୍ତିରେ ପ୍ରଯୁଜ୍ୟ ସଂରକ୍ଷଣ ନୀତି ଅନୁଯାୟୀ ଯୋଗ୍ୟ ଆଦିବାସୀ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଉ ଏବଂ ଖାଲି ପଦବୀଗୁଡ଼ିକ ଶୀଘ୍ର ପୂରଣ କରାଯାଉ ।

ଖଣି ପ୍ରଭାବିତ ଅଞ୍ଚଳରେ ଗ୍ରାମସଭା ଓ ପରିବେଶ ସୁରକ୍ଷା କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାର ଖଣି ପ୍ରଭାବିତ ଆଦିବାସୀ ଅଞ୍ଚଳଗୁଡ଼ିକରେ ଜମି, ଜଳ, ଜଙ୍ଗଲ ଓ ଜୀବିକାର ସୁରକ୍ଷା କରାଯାଉ । ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳମାଳି, ନିୟମଗିରି, ଗନ୍ଧମାର୍ଦନ, ସୁନାବେଡ଼ା, ଲରମ୍ଭା, ସାଲେପାଲି, କନେଇଟାଲ, ଭାରତବାହାଲ, ବବଜା ଓ ବିଅରପାଲି ଆଦି ଅଞ୍ଚଳରେ ପ୍ରସ୍ତାବିତ ଖଣି ଓ ଖଣିଜ ପ୍ରକଳ୍ପଗୁଡ଼ିକରେ ଗ୍ରାମସଭାର ଅଧିକାର, ବନ ଅଧିକାର ଆଇନ, ପେସା ଆଇନ ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର ପାଳନ ସୁନିଶ୍ଚିତ କରାଯାଉ ।

ଆଦିବାସୀଙ୍କ ସମ୍ମତି, ନ୍ୟାୟସଙ୍ଗତ ପୁନର୍ବାସ ଓ ଜୀବିକା ସୁରକ୍ଷା ବିନା କୌଣସି ପ୍ରକଳ୍ପ ଦ୍ୱାରା ସେମାନଙ୍କୁ ବିସ୍ଥାପିତ କରାନଯାଉ । ଆଦିବାସୀ ସମାଜର ସାମ୍ବିଧାନିକ ସୁରକ୍ଷା, ସାମାଜିକ ନ୍ୟାୟ ଓ ସମ୍ମାନଜନକ ଜୀବନର ଅଧିକାରକୁ ଦୃଷ୍ଟିରେ ରଖି ଉପରୋକ୍ତ ଦାବିଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ଦାବିଗୁଡ଼ିକର ସମର୍ଥନରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁ ପ୍ରତାପ ସିଂ ମାଝି, ବିଶିଷ୍ଟ ଆଦିବାସୀ ନାରୀନେତ୍ରୀ ଶ୍ରୀମତୀ ମିଥିଲା ମାଝି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୁରେକେଲା ବ୍ଲକ ସଭାପତି ଚୌବନ କିଶୋର ମାଝି, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ମୁରିବାହାଲ ବ୍ଲକ ସଭାପତି ରାଜୀବ କୁଅଁର, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଂଗଠନ ସମ୍ପାଦକ ଥବିର ପୁଝାରୀ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝି, କଣ୍ଟାବାଞ୍ଜି ନଗର ସଭାପତି ରାମ ଶବରଙ୍କ ସମେତ ବହୁ ଆଦିବାସୀ ନେତା ଓ କର୍ମକର୍ତ୍ତା ସାମିଲ ହେବେ ।

ଅନ୍ୟମାନଙ୍କ ମଧ୍ୟରେ ଅମର ସିଂ ମାଝି, ଲୟକର ଛତ୍ରିଆ, ମୁକେଶ ଭୋଇ, ଈଶ୍ୱର ନାଏକ, ଶ୍ରୀମତୀ ପତ୍ରଙ୍ଗି ମାଝି, ଶ୍ରୀମତୀ ଲକ୍ଷ୍ମୀ ମାଝି, ଶ୍ରୀମତୀ ଖେଳନ୍ତି ସମରଥ, ଶ୍ରୀମତୀ ଭୂମିସୁତା ସମରଥ, ଶ୍ରୀମତୀ ସୁରେଶ୍ୱରୀ ଯାନୀ, ଆଦିବାସୀ ନେତା ଅଚ୍ୟୁତ ଭୋଇ, ବସନ୍ତ ଭୋଇ, ମଧୁସୂଦନ ଜାନି, ଲିଙ୍ଗ ମାଝି, କ୍ଷେତ୍ର ମାଝି, ମହାଦେବ ଭୋଇ, ଲିଙ୍ଗରାଜ ଧରୁଆ ଓ କୁଶ ମାଝି ପ୍ରମୁଖ ଯୋଗଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments