ଭୁବନେଶ୍ବର, (୧୫/୧୦) : ଆପ୍ର : ଆଜି ମହାନଦୀ ଜଳ ବିବାଦର ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗିରହିଥିବା ମହାନଦୀ ଜଳ ବଣ୍ଟନ ବିବାଦର ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଦୁଇ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜୋରଦାର ହୋଇଥିବା ବେଳେ ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ଶୁଣାଣିରେ କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲ୍ୟୁସିର ସମ୍ପ୍ରସାରିତ ବୈଷୟିକ କମିଟି ପ୍ରସ୍ତୁତ କରିଥିବା ରିପୋର୍ଟ ଉପରେ ମୁଖ୍ୟତଃ ଆଲୋଚନା ହେବ । ଗତ ୧୩ ତାରିଖରେ ବିବାଦୀୟ ପ୍ରସଙ୍ଗଗୁଡ଼ିକରେ ସହମତି ସୃଷ୍ଟି ପାଇଁ ବୈଷୟିକ କମିଟିର ବୈଠକ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକ୍ରିୟାରେ ହୋଇଥିବା ଅଗ୍ରଗତି ଏବଂ ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ ସମ୍ମୁଖରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି ।
ବିଶେଷକରି ଅଣମୌସୁମୀ ସମୟରେ ମହାନଦୀର ଜଳପ୍ରବାହ ଏବଂ କଲମା ବ୍ୟାରେଜ୍ ରୁ ଜଳ ବ୍ୟବହାର ଅଧିକାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଛି । ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ମହାନଦୀରେ ସର୍ବନିମ୍ନ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେହିପରି ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍ ମାଧ୍ୟମରେ ଛତିଶଗଡ଼ର ଜଳ ଉତ୍ତୋଳନ ଅଧିକାର ମଧ୍ୟ ବିବାଦର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ।
ଅନ୍ୟପଟେ ଟ୍ରିବ୍ୟୁନାଲ ବାହାରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି । ଗତ ଅକ୍ଟୋବର ପହିଲାରେ ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ ଯୋଗଦେଇଥିଲେ । କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ଆପୋସ ସମାଧାନ ପାଇଁ ଉଭୟ ରାଜ୍ୟ ନୀତିଗତ ଭାବେ ସହମତି ପ୍ରକାଶ କରିଥିଲେ ।
ତେବେ ଆପୋସ ସମାଧାନ ପ୍ରକ୍ରିୟା କେତେଦୂର ଆଗେଇଛି? ଅଣମୌସୁମୀ ଜଳପ୍ରବାହ ନେଇ ଓଡ଼ିଶାର ଦାବିକୁ କେତେ ଗୁରୁତ୍ୱ ମିଳିବ? କଲମା ବ୍ୟାରେଜ୍ ବିବାଦରେ କୌଣସି ସହମତି ହୋଇପାରିବ କି? ଏସବୁ ପ୍ରଶ୍ନ ମଧ୍ୟରେ ଆଜିର ଶୁଣାଣି ବେଶ୍ ଗୁରୁତ୍ୱ ବହନ କରୁଛି । ମହାନଦୀ ଓଡ଼ିଶାର କୃଷି, ଶିଳ୍ପ ଏବଂ ପାନୀୟ ଜଳ ଯୋଗାଣର ଅନ୍ୟତମ ପ୍ରମୁଖ ଉତ୍ସ । ବିଶେଷକରି ଖରାଦିନେ ଜଳପ୍ରବାହ ହ୍ରାସକୁ ନେଇ ଓଡ଼ିଶା ଦୀର୍ଘଦିନ ଧରି ଉଦ୍ ବେଗ ପ୍ରକାଶ କରିଆସୁଛି । ତେଣୁ ଆଜିର ଶୁଣାଣିରେ କେଉଁ ଦିଗରେ ଅଗ୍ରଗତି ହେଉଛି ଏବଂ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ରହିଛି ସମଗ୍ର ଓଡ଼ିଶାର ନଜର ।

