Homecrimeଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣି ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା

ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣି ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା

ଗଜପତି, (୨୮/୦୯) : ଆପ୍ର : ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ ।

​ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁ’ରେ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ ଘରୁ ଡାକିନେଇ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡ଼ି ପାଉଁଶ କରିଦେଇଛନ୍ତି ଗାଁ ଲୋକେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ମଧ୍ୟ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ମେରମା ଗ୍ରାମର ରାମଚନ୍ଦ୍ର ମଲିକ । ସୂଚନା ମୁତାବକ, ରାମଚନ୍ଦ୍ର ମଲିକ ବିଗତ ପ୍ରାୟ ୧୦ ବର୍ଷ ହେବ ନିଜ ମୂଳ ଗାଁ ମେରମା ଛାଡ଼ି ଗାଁ ନିକଟସ୍ଥ ଏକ ପାହାଡ଼ ଉପରେ କୁଡ଼ିଆ ବାନ୍ଧି ପରିବାର ଓ ଛୁଆପିଲାଙ୍କ ସହ ରହୁଥିଲେ ।

ଗ୍ରାମବାସୀଙ୍କ ସହିତ ତାଙ୍କର ସେପରି କୌଣସି ବିବାଦ ନ ଥିଲା । କିଛି ଦିନ ମଧ୍ୟରେ ମେରମା ଗ୍ରାମରେ କିଛି ଲୋକଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଅନ୍ଧବିଶ୍ୱାସ ଦାନା ବାନ୍ଧିଥିଲା। ପାହାଡ଼ ଉପରେ ଏକୁଟିଆ ରହୁଥିବା ରାମଚନ୍ଦ୍ର ହିଁ ଗୁଣିଗାରେଡ଼ି କରି ଗାଁ ଲୋକଙ୍କୁ ମାରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ବିଳମ୍ବିତ ରାତି କିଛି ଗ୍ରାମବାସୀ ପାହାଡ଼ ଉପର କୁଡ଼ିଆକୁ ଯାଇଥିଲେ ।

ଗାଁରେ ଏକ ଜରୁରୀ ବୈଠକ (ମିଟିଂ) ଅଛି କହି ସେମାନେ ରାମଚନ୍ଦ୍ରଙ୍କୁ ଘରୁ ଡାକି ଆଣିଥିଲେ । ମାତ୍ର ଗାଁ ଭିତରକୁ ଆସିବା ପରେ ପୂର୍ବ ଯୋଜନା ମୁତାବକ ଗ୍ରାମବାସୀମାନେ ତାଙ୍କୁ ଘେରିଯାଇ ଲାଠି-ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ୱାମୀଙ୍କ ଚିତ୍କାର ଶୁଣି ପତ୍ନୀ ଲୀଳାବତୀ ମଲିକ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ବାରଣ କରିବା ସହ ସ୍ୱାମୀଙ୍କ ଜୀବନ ଭିକ୍ଷା କରିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକେ ତାଙ୍କ କଥା ନ ଶୁଣି ଲୀଳାବତୀଙ୍କୁ ମଧ୍ୟ ନିର୍ଦ୍ଦୟ ଭାବେ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ ।

​ଆକ୍ରମଣରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିବା ପରେ ହତ୍ୟାକାରୀମାନେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ମେରମା ଗ୍ରାମର ଶେଷମୁଣ୍ଡ ପାହାଡ଼ ତଳେ ଥିବା ଏକ ଗଛ ନିକଟକୁ ଶବ ନେଇ କାଠ ଜମା କରି ନିଆଁ ଲଗାଇ ପୋଡ଼ି ଦେଇଥିଲେ । ​ଏହି ନାରକୀୟ କାଣ୍ଡ ସମ୍ପର୍କରେ ଖବର ପାଇ ମୋହନା ଥାନା ପୋଲିସ ତୁରନ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଟିମ୍ ମେରମା ଗ୍ରାମ ଶେଷମୁଣ୍ଡ ପାହାଡ଼ ତଳ ଗଛ ନିକଟରୁ ଶବ ପୋଡ଼ାଯାଇଥିବା ସ୍ଥାନକୁ ଠାବ କରି ପାଉଁଶ ଓ ଅନ୍ୟାନ୍ୟ ପ୍ରମାଣ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଗାଁର କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି । ଏଥିସହ ଆହତ ପତ୍ନୀଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଛି । ପୋଲିସ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଧିକ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments