ବାଲେଶ୍ୱର, (୨୧/୧୦) : ଆପ୍ର : ବାଲେଶ୍ୱର ଜିଲ୍ଲାରେ ପ୍ରାୟ ଅଢ଼େଇ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୋର ଥାନା ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରି ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା ଯେ, ଗତ ୧୪ ତାରିଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କାର ଠକେଇ କାରବାର ହୋଇଥିଲା । ଏହି ଠକେଇ କାରବାର ପାଇଁ ଚୀନରେ ରହୁଥିବା ନିଜ ମାଲିକଙ୍କ ନିର୍ଦ୍ଦେଶରେ ସେ ବାଲେଶ୍ୱର ଆସିଥିବା ଅଭିଯୁକ୍ତ ଜଣକ ପୋଲିସକୁ କହିଥିବା ପ୍ରେସ୍ ବିବୃତିରେ ଉଲ୍ଲେଖ ରହିଛି । ଏହାପରେ ସମ୍ପୃକ୍ତ ବ୍ୟାଙ୍କ ଖାତାଧାରୀଙ୍କ ପରିଚୟ ଜଣାପଡ଼ିବା ପରେ ଯାଜପୁରରୁ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ହରିନାଥ କେ, ଯାଜପୁର ଜିଲ୍ଲାର ବସନ୍ତ କୁମାର ଜେନା ଓ ଝରଣା ଜେନା । ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହି ଠକେଇରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଠକେଇର ପ୍ରକୃତ ପରିମାଣ କେତେ, ସେନେଇ ବାଲେଶ୍ୱର ପୋଲିସର ତଦନ୍ତ ଜାରି ରହିଛି ।

