Homelocalବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ ସମ୍ଭାବନା, ପୂଜା ବଜାରରେ ବର୍ଷା ଚିନ୍ତା

ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ ସମ୍ଭାବନା, ପୂଜା ବଜାରରେ ବର୍ଷା ଚିନ୍ତା

ଭୁବନେଶ୍ୱର, (୧୨/୧୦) : ଆପ୍ର : ବଙ୍ଗୋପସାଗରରେ କାଲି ଲଘୁଚାପ ସମ୍ଭାବନା । ଦୁର୍ଗାପୂଜା ବେଳେ ବର୍ଷା ଆଶଙ୍କା । ଆଜି ଓଡ଼ିଶା ପାଇଁ ସତର୍କତା ନାହିଁ ।

ଦୁର୍ଗାପୂଜା ପୂର୍ବରୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ତେବେ ଆଜି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ । କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିଲେ ମଧ୍ୟ ଆଜି ପାଇଁ ରାଜ୍ୟରେ କୌଣସି ସ୍ୱତନ୍ତ୍ର ପାଣିପାଗ ସତର୍କତା ଜାରି କରାଯାଇନାହିଁ ।

ଆଇଏମଡିର ସଦ୍ୟତମ ବୁଲେଟିନ୍ ଅନୁସାରେ, ମାଲାକ୍କା ପ୍ରଣାଳୀ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଗଠନ ହୋଇପାରେ । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରକୋପ କମ୍ ରହିପାରେ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ସମେତ କେତେକ ଜିଲ୍ଲାରେ ଆକାଶ ଆଂଶିକ ମେଘୁଆ ରହିବା ସହ ସ୍ଥାନୀୟ ଭାବେ ହାଲୁକା ବର୍ଷା ହୋଇପାରେ । ତେବେ ଆଇଏମଡିର ସତର୍କତା ବୁଲେଟିନ୍ ରେ ୧୨ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ରାଜ୍ୟସ୍ତରୀୟ ସତର୍କତା ଦର୍ଶାଯାଇନାହିଁ । ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ନଜର ରଖିଛନ୍ତି । ବିଭିନ୍ନ ପାଣିପାଗ ମଡେଲର ପ୍ରାରମ୍ଭିକ ଆକଳନରେ ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବାର ସଙ୍କେତ ମିଳିଛି ।

ଅକ୍ଟୋବର ୧୫ ବେଳକୁ ଅବପାତ ସୃଷ୍ଟି ହେବାର ସମ୍ଭାବନାକୁ ମଧ୍ୟ ଆଇଏମଡିର ପୂର୍ବବର୍ତ୍ତୀ ବିସ୍ତାରିତ ଆକଳନରେ ଦର୍ଶାଯାଇଥିଲା । କିନ୍ତୁ ଏହାର ସମ୍ଭାବନା କମ୍ ରହିଥିଲା। ଏହି ବ୍ୟବସ୍ଥା ଅବପାତରେ ପରିଣତ ହେବ କି ନାହିଁ, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ କି ନାହିଁ ଏବଂ ଏହାର ପ୍ରଭାବରେ ରାଜ୍ୟରେ କେତେ ବର୍ଷା ହେବ, ସେନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଅଧିକ ସ୍ପଷ୍ଟ ହେବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏପଟେ ଦୁର୍ଗାପୂଜା ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ଅକ୍ଟୋବର ୧୬ରୁ ପୂଜା ଉତ୍ସବ ଆରମ୍ଭ ହେଉଥିବାରୁ ମଣ୍ଡପ ନିର୍ମାଣ, ତୋରଣ ସାଜସଜ୍ଜା ଓ ପୂଜା ବଜାର ଉପରେ ବର୍ଷାର ପ୍ରଭାବ ପଡ଼ିପାରେ । ବିଶେଷକରି ଖୋଲା ସ୍ଥାନରେ ନିର୍ମିତ ମଣ୍ଡପ ଓ ସାଜସଜ୍ଜା ପାଇଁ ପୂଜା କମିଟିଗୁଡ଼ିକୁ ପାଣିପାଗ ଉପରେ ନଜର ରଖିବାକୁ ପଡ଼ିବ । ତେବେ ଏପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ପୂର୍ବାନୁମାନ ନାହିଁ। ଆଇଏମଡିର ସାମୁଦ୍ରିକ ବୁଲେଟିନ୍ ରେ ମଧ୍ୟ ବର୍ତ୍ତମାନ ପାଇଁ କୌଣସି ଝଡ଼ ସତର୍କତା ଜାରି କରାଯାଇନାହିଁ । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ପାଣିପାଗ ବ୍ୟବସ୍ଥାର ସ୍ଥିତି ଅଧିକ ସ୍ପଷ୍ଟ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments