କେନ୍ଦ୍ରାପଡ଼ା, (୨୧/୧୦) : ଆପ୍ର : ଲୁଣା ନଦୀରେ ଗାଧୋଇବାକୁ ଯାଇ ଅଘଟଣ । ନଦୀରେ ବୁଡ଼ିଗଲେ ୩ ଜଣ ଯୁବକ ।
ଏହି ଘଟଣାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦାନପୁର ନିକଟ ଲୁଣା ନଦୀରେ ଆଜି ସକାଳେ ଅଘଟଣ ଘଟିଛି । ୩ ଜଣ ଯୁବକ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ କୌଣସି କାରଣରୁ ସେମାନେ ପାଣିରେ ବୁଡ଼ିଯାଇଥିଲେ । ଏହା ଜଣାପଡ଼ିବା ପରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଦୁଇ ଯୁବକଙ୍କୁ ଖୋଜାଖୋଜି କରୁଛି । ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ନିଖୋଜ ଯୁବକଙ୍କ ପରିଚୟ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ ।

