ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ସୁବର୍ଣ୍ଣପୁର ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାପାଳ ଦେବାଶିଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୌଭାଗ୍ୟ ମହାନ୍ତି ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ମାଣ୍ଡିଆ ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଉପକାରୀ ବୋଲି ଜନସାଧାରଣଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ଦୈନନ୍ଦିନ ଖାଦ୍ୟରେ ନିୟମିତ ଖାଦ୍ୟଶସ୍ୟ ସହ ମାଣ୍ଡିଆକୁ ମଧ୍ୟ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଏହି ଉତ୍ସବରେ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷୀମାନେ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶାରେ ମାଣ୍ଡିଆ ପୂର୍ବରୁ ଲୋକଙ୍କ ଖାଦ୍ୟର ଏକ ଅଂଶ ହୋଇ ରହିଆସିଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କହିଥିଲେ । ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ଓ ଉତ୍ପାଦ ପ୍ରସ୍ତୁତ କରି ଏହାର ମୂଲ୍ୟବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହାଦ୍ୱାରା ମାଣ୍ଡିଆ ଉତ୍ପାଦର ବଜାର ସୁଯୋଗ ବୃଦ୍ଧି ପାଇବା ସହ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ ।

