ସୁବର୍ଣ୍ଣପୁର, (୦୪/୧୧) : ଆପ୍ର : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଆଜି ଆନ୍ତଃଜିଲ୍ଲା ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ରାଜ୍ୟ ଲେଖା ନିୟନ୍ତ୍ରକଙ୍କ ମିଳିତ ସହଯୋଗରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଦାଲତ ଆୟୋଜିତ ହୋଇଥିଲା। ଏହି ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଯୁଗ୍ମ ଶାସନ ସଚିବ ଅସିତ କୁମାର ପାଣି ଏବଂ ବିଭାଗର ଅଧିକାରୀ ଅବିନାଶ ସାମଲ ଯୋଗଦେଇ ଅଦାଲତ କୁ ପରିଚାଳନା କରିଥିଲେ ।
ଏହି ପେନସନ ଅଦାଲତରେ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୩୩ଟି ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୨୨ଟି ଭବିଷ୍ୟନିଧି ପେନସନ ଆଦେଶ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ ଏହି ଅଦାଲତରେ ଯୋଗଦେଇଥିଲେ । ବିଭିନ୍ନ କାରଣରୁ ଦୀର୍ଘଦିନ ଧରି ଅଟକି ରହିଥିବା ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଡିଟ୍, ଭିଜିଲାନ୍ସ ଏବଂ ବିଭାଗୀୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା କାରଣରୁ ଅନେକ ପେନସନ ମାମଲା ଦୀର୍ଘଦିନ ଧରି ପଡ଼ିରହିଥିଲା । ଏହି ଅଦାଲତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅଭିଯୋଗର ଶୁଣାଣି କରାଯାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାର ଅଧିକାଂଶ ପେନସନ ମାମଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ବନ୍ଧୀୟ ଥିଲା। ଅବସରପ୍ରାପ୍ତ କର୍ମଚାରୀମାନେ ଯେପରି ନିଜର ଅବସରକାଳୀନ ପ୍ରାପ୍ୟ ଠିକ୍ ସମୟରେ ପାଇପାରିବେ, ସେଥିପାଇଁ ଅଟକି ରହିଥିବା ମାମଲାଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

