Homelocalଆପଣଙ୍କ ଘରକୁ ଆସିବେ ବିଏଲଓ, କଣ ପଚାରିବେ ଜାଣିରଖନ୍ତୁ

ଆପଣଙ୍କ ଘରକୁ ଆସିବେ ବିଏଲଓ, କଣ ପଚାରିବେ ଜାଣିରଖନ୍ତୁ

କଟକ, (୩୧/୦୫) : ଆପ୍ର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬କୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଠାରୁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଜିଲ୍ଲାର ୯ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ ଆରମ୍ଭ କରିଛନ୍ତି

ବିଏଲଓମାନେ ପ୍ରତ୍ୟେକ ଭୋଟରଙ୍କୁ ପୂର୍ବରୁ ମୁଦ୍ରିତ ୨ଟି ଲେଖାଏଁ ଗଣନା ଫର୍ମ ପ୍ରଦାନ କରି ସେଗୁଡିକ ପୂରଣ କରି ଗୋଟିଏ ନିଜେ ନେଉଛନ୍ତି ଏବଂ ଅନ୍ୟଟି ଭୋଟରଙ୍କୁ ଦେଉଛନ୍ତି । ଏଥିସହ ଫର୍ମ ସଂଗ୍ରହ କରି ଭୋଟରଙ୍କୁ ଗୋଟିଏ ଲେଖାଏଁ ପ୍ରାପ୍ତି ସ୍ଵୀକାର ପତ୍ର ମଧ୍ୟ ପ୍ରଦାନ କରାଯାଉଛି । ତତକ୍ଷଣାତ ଫର୍ମ ପୂରଣ କରି ନପାରିଲେ ବିଏଲଓ ମାନେ ଫର୍ମଗୁଡିକ ଦେଇ ପଳାଇ ଆସିବେ ଓ ପରେ ପ୍ରତ୍ୟେକ ପରିବାରକୁ ଯାଇ ଭୋଟରଙ୍କଠାରୁ ଗଣନା ଫର୍ମର ପୂରଣ ହୋଇଥିବା କପି ସଂଗ୍ରହ କରିବେ। ବିଏଲଓ ସଂଗୃହିତ ଫର୍ମଗୁଡ଼ିକୁ BLO ଆପ୍/ECINET ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଅପଲୋଡ୍ କରିବେ ।

ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୨୦,୮୫,୭୭୯ ଜଣ ଥିବାବେଳେ ମ୍ୟାପିଙ୍ଗ ସମୟରେ ୧୯,୫୦,୧୯୮ ଜଣ ଭୋଟର ଥିବା ଜଣାପଡିଛି। ସେହିପରି ଜିଲ୍ଲାରେ ସମୁଦାୟ ୨୨୯୧ ଟି ବୁଥ ରହିଥିବାବେଳେ ଆଉ ୬୦୬ଟି ନୂତନ ବୁଥ କରାଯିବ । ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ୨୨୯୧ ଜଣ ବିଏଲଓ, ୬୦୬ ଜଣ ଅତିରିକ୍ତ ବି ଏଲ ଓ, ୨୨୭ ଜଣ ସୁପରଭାଇଜର, ୬୬ ଜଣ ଏ ଇ ଆର ଓ, ୨୨୯୧ ଜଣ ସ୍ଵେଚ୍ଛାସେବୀ ଓ ୧୩୦୩ ଜଣ ବୁଥ ସ୍ତରୀୟ ଏଜେଣ୍ଟ ରହିଛନ୍ତି । ୨୯ ତାରିଖ ସୁଦ୍ଧା ବି ଏଲ ଓ ମାନଙ୍କ ନିକଟରେ ମୁଦ୍ରିତ ଫର୍ମ ପହଞ୍ଚିସାରିଛି । ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବି ଏଲ ଓ ମାନେ ଘରକୁ ଘର ବୁଲି ଫର୍ମ ପ୍ରଦାନ କରିବେ ଓ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ୭ ଘଟିକା ପର୍ଯ୍ୟନ୍ତ ବି ଏଲ ଓ ମାନେ ଏହି କାର୍ଯ୍ୟ କରୁଛନ୍ତି ।

ଗଣନା ପର୍ଯ୍ୟାୟ ସମୟରେ ଭୋଟରଙ୍କଠାରୁ କୌଣସି ଡକ୍ୟୁମେଣ୍ଟ ସଂଗ୍ରହ କରାଯାଉ ନାହିଁ। ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ଭୋଟରମାନଙ୍କୁ ମୁଦ୍ରିତ ଗଣନା ଫର୍ମ ଡାଉନଲୋଡ୍ କରିବା ଏବଂ ଅନଲାଇନ୍ ମୋଡ୍ ମାଧ୍ୟମରେ ପୂରଣ ହୋଇଥିବା ଫର୍ମ ଏବଂ ଡକ୍ୟୁମେଣ୍ଟ ଅପଲୋଡ୍ କରିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଭୋଟରମାନଙ୍କ ସୁବିଧା ପାଇଁ ଆମ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ସହାୟତା କେନ୍ଦ୍ର ମାନ ଖୋଲାଯାଇଛି । ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ ଫ୍ରି ନିର୍ବାଚନ ହେଲ୍ପ ଲାଇନ ନମ୍ବର ରହିଛି । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିପାରିବେ । ଏହା ସହ voters.eci.gov.in ପୋର୍ଟାଲ ଏବଂ “Voter Helpline App” ମାଧ୍ୟମରେ ମଧ୍ୟ ଭୋଟର ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିପାରିବ ।

ବିଏଲଓ ମାନେ ଭୋଟରଙ୍କ ନାମ, ବୟସ, ଠିକଣା ଓ ଅନ୍ୟାନ୍ୟ ସମ୍ପୃକ୍ତ ବିବରଣୀ ଯାଞ୍ଚ କରିବା ସହ ଯୋଗ୍ୟ ନୂତନ ଭୋଟରଙ୍କୁ ଭୋଟର ତାଲିକା ରେ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦେବା ଏବଂ ତ୍ରୁଟିପୂର୍ଣ୍ଣ ତଥ୍ୟର ସଂଶୋଧନ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ବିଏଲଓମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିବା, ସଠିକ ତଥ୍ୟ ଯୋଗାଇବା ଏବଂ ନିଜ ନିଜ ଭୋଟର ସମ୍ପର୍କିତ ବିବରଣୀ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments