ସମ୍ବଲପୁର, (୧୦/୧୧) : ଆପ୍ର : ସମ୍ବର ହରିଣ ମାରି ଖାଇଲା ମହାବଳ । ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଚଳପ୍ରଚଳ ଓ ଶିକାର ଦେଖିବାକୁ ମିଳିଛି ।
ଗତକାଲି ଅପରାହ୍ନରେ ବାଘଟି ଅଭୟାରଣ୍ୟର ପର୍ଯ୍ୟଟନ ଜୋନ୍ ରେ ପହଞ୍ଚି ଜଙ୍ଗଲ ଓ ନିଜ ବାସସ୍ଥଳୀର ଅନୁସନ୍ଧାନ କରୁଥିବା ବେଳେ ୪ଟି ସଫାରି ଗାଡ଼ିରେ ଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକ ତାକୁ ଦେଖିଥିଲେ । ସନ୍ଧ୍ୟାରେ ଅଭୟାରଣ୍ୟର କୋର୍ ଜୋନ୍ ରେ ମହାବଳ ବାଘ ଏକ ସମ୍ବର ଓ ହରିଣକୁ ଶିକାର କରିଥିଲା । ଅନ୍ୟପଟେ ବାଘର ସୁରକ୍ଷା ପାଇଁ ଅଭୟାରଣ୍ୟର ପଶ୍ଚିମ ସୀମା ସମେତ ନଦୀପଥରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଶିକାରୀ, ଫାଶ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ଗତିବିଧି ସମ୍ପର୍କରେ ତୁରନ୍ତ ସୂଚନା ଦେବା ପାଇଁ ପୋଲିସ, ସ୍ଥାନୀୟ ଲୋକ ଏବଂ ସୂଚନାଦାତାଙ୍କୁ ସତର୍କ କରାଯାଇଛି ।
ଏଭଳି ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛିବୋଲି ଡ଼ିଏଫଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ତେବେ ବାଘଟି କେଉଁ ଜଙ୍ଗଲରୁ ଆସିଛି, ତାହାର ବୟସ କେତେ ଏବଂ ଏହା ଅଣ୍ଡିରା ନା ମାଈ ବାଘ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ବାଘର ପରିଚୟ ନିଶ୍ଚିତ କରିବା ପାଇଁ କ୍ୟାମେରା ଟ୍ରାପ୍ ରେ ଉତ୍ତୋଳିତ ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCA ଏବଂ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା WIIର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ । ବାଘର ଶରୀରରେ ଥିବା ସ୍ୱତନ୍ତ୍ର ଡୋରା ଚିହ୍ନକୁ ବିଶ୍ଳେଷଣ କରି ଏହାର ପରିଚୟ ଜାଣିବାକୁ ଉଦ୍ୟମ କରାଯିବ ।

