Homelocalରାଜ୍ୟ କ୍ୟାବିନେଟ୍‌ରେ ଶିକ୍ଷା ବ୍ୟବସ୍ଥାର ଡିଜିଟାଲ୍ ବିକାଶଠାରୁ ଆରମ୍ଭ କରି ଚାଷୀଙ୍କଠାରୁ ଧାନକିଣା ପର୍ଯ୍ୟନ୍ତ ଏକାଧିକ...

ରାଜ୍ୟ କ୍ୟାବିନେଟ୍‌ରେ ଶିକ୍ଷା ବ୍ୟବସ୍ଥାର ଡିଜିଟାଲ୍ ବିକାଶଠାରୁ ଆରମ୍ଭ କରି ଚାଷୀଙ୍କଠାରୁ ଧାନକିଣା ପର୍ଯ୍ୟନ୍ତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର, (୧୦/୧୧) : ଆପ୍ର : ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଡିଜିଟାଲ୍ ବିକାଶଠାରୁ ଆରମ୍ଭ କରି ଚାଷୀଙ୍କଠାରୁ ଧାନକିଣା, ଶକ୍ତି ଉତ୍ପାଦନ ଓ ଜଳସେଚନ ପର୍ଯ୍ୟନ୍ତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ଉଚ୍ଚଶିକ୍ଷାରେ ମାଗଣା ଇଣ୍ଟରନେଟ୍ ସୁବିଧା, ଧାନ ସଂଗ୍ରହ ନୀତି, କଳାହାଣ୍ଡିରେ ବୃହତ୍ ଶକ୍ତି ପ୍ରକଳ୍ପ ଏବଂ ବଲାଙ୍ଗିର ଓ ନୂଆପଡ଼ାରେ ଜଳସମ୍ପଦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେହିପରି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର । ରାଜ୍ୟର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ ସୁବିଧା । ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନା ଅଧୀନରେ ଏଥିପାଇଁ ୩୯୩ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ କରାଯିବ । ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ତିନିବର୍ଷରେ ଯୋଜନା କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ପଞ୍ଜୀକୃତ ଓ ପରିଚୟ ଯାଞ୍ଚ ହୋଇଥିବା ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସରେ ଦୈନିକ ସର୍ବାଧିକ ୧ ଜିବି ମାଗଣା ଇଣ୍ଟରନେଟ୍ ଡାଟା ପାଇବେ । ଏହାଦ୍ୱାରା ଅନଲାଇନ୍ ପାଠପଢ଼ା, ଡିଜିଟାଲ୍ ଲାଇବ୍ରେରୀ, ଗବେଷଣା, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଏବଂ ଦକ୍ଷତା ବିକାଶ ସହଜ ହେବ ।

ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ଏହି ସୁବିଧା ଆରମ୍ଭ ହୋଇସାରିଛି । ସମ୍ପ୍ରସାରିତ ଯୋଜନାରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ଚାଷୀଙ୍କ ପାଇଁ ମଧ୍ୟ କ୍ୟାବିନେଟ୍ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି । ଏଥର ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି, ଯାହା ୫୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସହ ସମାନ। ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ। ଧାନ ବିକ୍ରି ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ବ୍ୟବସ୍ଥା ରହିବ । ଧାନ ସଂଗ୍ରହରେ ସ୍ୱଚ୍ଛତା ପାଇଁ ଡିଜିଟାଲ୍ ଯାଞ୍ଚ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।

ଭାଗଚାଷୀଙ୍କୁ ମଧ୍ୟ ଧାନକିଣା ପ୍ରକ୍ରିୟାରେ ସାମିଲ କରିବାକୁ ବ୍ୟବସ୍ଥା କରାଯାଇଛି । ୨୦୨୬ ନଭେମ୍ବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ ସଂଗ୍ରହ ଅବଧି ଧାର୍ଯ୍ୟ ହୋଇଛି। ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କଳାହାଣ୍ଡି ଜିଲ୍ଲାର ରାଣୀବାହାଲଠାରେ ୬୦୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପର ମୋଟ ବ୍ୟୟ ଜିଏସ୍ ଟି ସହ ୪୭୦୮ କୋଟି ୬୪ ଲକ୍ଷ ଟଙ୍କା ରହିଛି । ପ୍ରକଳ୍ପ ନିର୍ମାଣ ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ ଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡ୍ କୁ ୩୩୭୨ କୋଟି ୮୮ ଲକ୍ଷ ଟଙ୍କାର ଇପିସି ଠିକା ଦିଆଯାଇଛି। ଏହି ରାଶିରେ ଜିଏସ୍ ଟି ସାମିଲ ନାହିଁ । ପ୍ରକଳ୍ପର ଋଣ ଓ ନିଜସ୍ୱ ପୁଞ୍ଜି ଅନୁପାତ ୮୦:୨୦ ରହିବ । ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଛି । ଏହାଦ୍ୱାରା ବାର୍ଷିକ ପ୍ରାୟ ୧୦୪୦ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଅଧିକ ଚାହିଦା ସମୟରେ ଉପଲବ୍ଧ କରାଯାଇପାରିବ ।

ଏହି ପ୍ରକଳ୍ପ ବୃହତ୍ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଭାବେ ମଧ୍ୟ କାର୍ଯ୍ୟ କରିବ। ଜଳସେଚନ ଓ ପାନୀୟ ଜଳ ସୁବିଧା ପାଇଁ ଦୁଇଟି ବଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ପଥର୍ଲା ନିକଟରେ ଇନ୍ଦ୍ରା ବା ସୁନ୍ଦର ନଦୀରେ ୧୦୦ କୋଟି ଟଙ୍କା ବ୍ୟୟରେ ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ନିର୍ମାଣ କରାଯିବ । ୩୦ ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହାଦ୍ୱାରା ପ୍ରାୟ ୧୨ଟି ଗାଁକୁ ଘରୋଇ ବ୍ୟବହାର ପାଇଁ ଜଳ ଯୋଗାଣ, ଭୂତଳ ଜଳସ୍ତର ବୃଦ୍ଧି ଏବଂ ଜୀବିକାରେ ସହାୟତା ମିଳିବ। ସେହିପରି ନୂଆପଡ଼ା ଜିଲ୍ଲାରେ ପାର୍ବତୀ ଗିରି ପ୍ରକଳ୍ପ ଅଧୀନରେ ୭ଟି ମେଗା ଲିଫ୍ଟ ଜଳସେଚନ ଯୋଜନାକୁ ଅନୁମୋଦନ ମିଳିଛି ।

ଏଥିପାଇଁ ୨୮୯ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବୋଡ଼େନ, ସିନାପାଲି ଓ କୋମନା ବ୍ଲକ୍ ର ୫୯ଟି ଗାଁରେ ଅତିରିକ୍ତ ୮୮୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଧୁନିକ ଚାପଯୁକ୍ତ ଜଳ ବିତରଣ ବ୍ୟବସ୍ଥା ମାଧ୍ୟମରେ ଚାଷଜମିକୁ ପାଣି ପହଞ୍ଚାଯିବ । ଏହି ସମସ୍ତ ନିଷ୍ପତ୍ତି ମାଧ୍ୟମରେ ଉଚ୍ଚଶିକ୍ଷାରେ ଡିଜିଟାଲ୍ ସୁବିଧା ବିସ୍ତାର, ଚାଷୀଙ୍କୁ ଧାନର ନିର୍ଦ୍ଧାରିତ ମୂଲ୍ୟ ପ୍ରଦାନ, ବିଦ୍ୟୁତ୍ ବ୍ୟବସ୍ଥାର କ୍ଷମତା ବୃଦ୍ଧି ଏବଂ ଜଳସେଚନ ସୁବିଧାର ସମ୍ପ୍ରସାରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments