ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ଓ ନିର୍ଦ୍ଦେଶକ୍ରମେ ଏହି ଜିଲ୍ଲାର ଜଣେ ନାବାଳକ ସମୟୋପଯୋଗୀ ଚିକିତ୍ସା ସହାୟତା ପାଇ ନୂଆ ଜୀବନ ପାଇଛନ୍ତି ।
ଏହି ଜିଲ୍ଲା ସୋନପୁର ସହରର ମଝିପଡ଼ାର ବାସିନ୍ଦା ସୌମ୍ୟରଞ୍ଜନ ସାହୁଙ୍କ ପୁଅ ସ୍ୱପ୍ନେଶ୍ୱର ସାହୁ ହୃଦ୍ରୋଗରେ ପୀଡ଼ିତ ଥିଲେ । ଚିକିତ୍ସକମାନଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଶୀଘ୍ର ହୃଦ୍ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ଏଥିପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ବେସରକାରୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ସମ୍ଭବ ହୋଇନଥିଲା । ଏହି ପରିସ୍ଥିତିରେ ପରିବାର ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ବିଷୟଟି ଜାଣିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ) ଏବଂ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍ବିଏସ୍କେ) ଟିମ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆର୍ବିଏସ୍କେ ଯୋଜନା ମାଧ୍ୟମରେ ତୁରନ୍ତ ପ୍ରାୟ ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହା ସହିତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ପ୍ରଶାସନିକ ସହଯୋଗ ମଧ୍ୟ ସୁନିଶ୍ଚିତ କରାଯାଇଥିଲା । ଫଳରେ ବେଙ୍ଗାଲୁରୁରେ ସ୍ୱପ୍ନେଶ୍ୱରଙ୍କ ସଫଳ ହୃଦ୍ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ସ୍ୱପ୍ନେଶ୍ୱରଙ୍କ ସୁସ୍ଥତା ପରେ ତାଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ତ୍ୱରିତ ପଦକ୍ଷେପ ସେମାନଙ୍କ ପୁଅକୁ ଏକ ନୂତନ ଜୀବନ ପ୍ରଦାନ କରିଛି ବୋଲି ସେମାନେ ମତପ୍ରକାଶ କରିଛନ୍ତି ।

