ବଲାଙ୍ଗିର, (୧୭/୦୮) : ଆପ୍ର : ବଲାଙ୍ଗିର ମହିଳା କଲେଜ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ପକ୍ଷରୁ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ପ୍ରତିଭା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ସଭାରେ ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ କବି ଗଙ୍ଗାଧର ମେହେରଙ୍କ ରଚିତ ‘ବିଶ୍ୱ ଦେଖ ମଧୁମୟ’ କବିତା ପାଠ କରାଯାଇଥିଲା । ପରେ ଡ. ସଦାଶିବ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାଳିଦାସଙ୍କ ‘ରଘୁବଂଶମ’ କାବ୍ୟ ସହ ଗଙ୍ଗାଧରଙ୍କ ‘ଇନ୍ଦୁମତୀ’ କାବ୍ୟର ତୁଳନାତ୍ମକ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ରତିକାନ୍ତ ନାଏକ କବି ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ସାଧନା ଓ ଅସାଧାରଣ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସଭାପତି ଡ. ଭବାନୀ ଶଙ୍କର ପଟେଲ ନିଜ ଅଭିଭାଷଣରେ କହିଥିଲେ ଯେ, ଗଙ୍ଗାଧର ମେହେର ହେଉଛନ୍ତି ଓଡ଼ିଶାର କବିଶ୍ରେଷ୍ଠମାନଙ୍କ ମଧ୍ୟରୁ ଜଣେ । ସେ ପ୍ରାଚ୍ୟ ଦର୍ଶନ ଓ ଭାରତୀୟ ଚିନ୍ତାଧାରାକୁ ନିଜ ଲେଖନୀରେ ଅତ୍ୟନ୍ତ ସୁନ୍ଦର ଭାବରେ ରୂପ ଦେଇଥିବା ମତ ପ୍ରକାଶ କରିଥିଲେ ।
ଏହି ଅବସରରେ କବି ରାମ ଶଙ୍କର ଶତପଥି, ନଳିନୀ ପ୍ରଭା ସତପଥି ଓ ଡ. ଭବାନୀ ଶଙ୍କର ପଟେଲ ସ୍ୱରଚିତ କବିତା ପାଠ କରିଥିଲେ । ରାମ ଶଙ୍କର ଶତପଥି ଏକ ଜଣାଣ ପରିବେଷଣ କରିଥିଲେ । ସଭାରେ ମଞ୍ଚ ପରିଚାଳନା କରିଥିଲେ ବଲାଙ୍ଗିର ମହିଳା କଲେଜର ଓଡ଼ିଆ ଅଧ୍ୟାପକ ଡ. ସରୋଜ କୁମାର ଜଗଦଲା । ଶେଷରେ ବଳିଷ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟପ୍ରେମୀ ଓ କବିପ୍ରେମୀଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଗଙ୍ଗାଧର ମେହେରଙ୍କ ସାହିତ୍ୟ ପ୍ରତିଭାକୁ ନୂଆ ପିଢ଼ି ସମ୍ମୁଖରେ ଉଜାଗର କରିବାର ଏକ ସାର୍ଥକ ପ୍ରୟାସ ହୋଇଥିଲା ।

