ଭୁବନେଶ୍ୱର, (୦୪/୦୭) : ଆପ୍ର : ବିରିୟାନି ଖୁଆଇବା ବାହାନାରେ ୧୭ ବର୍ଷୀୟ ନାବାଳକଙ୍କୁ ଅପହରଣ । ମୁଣ୍ଡ ଜାମିନ ରଖି ୨୦ ହଜାର ଟଙ୍କା ଦାବି କରିଥିଲେ ୪ ଅଭିଯୁକ୍ତ ।
ସହିଦନଗର ଥାନା ପୋଲିସ ମାମଲାର ପର୍ଦ୍ଦାଫାଶ କରି ନାବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଜୁଲାଇ ୨ ତାରିଖରେ ନାବାଳକ ଜଣକ ବିରିୟାନି କିଣିବାକୁ ସହିଦନଗର ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଡାକି ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ବାଦାମି ଚିନି ଆଣିବାକୁ କହିବା ସହ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ୧୮୦୦ ଟଙ୍କା ଛଡ଼ାଇ ନେଇଥିଲେ । ପରେ ନାବାଳକଙ୍କୁ ଏକ ଅଟୋରେ ବସାଇ ଭିଏସଏସ୍ ନଗରର ତାନି ବସ୍ତିକୁ ନେଇ ଜବରଦସ୍ତି ତାଙ୍କ ଭଉଣୀଙ୍କୁ ଫୋନ୍ କରାଇ ୨୦ ହଜାର ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ । ଟଙ୍କା ନ ଦେଲେ ନାବାଳକଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗି ଦେବାକୁ ଧମକ ମଧ୍ୟ ଦେଇଥିଲେ ।
ଅଭିଯୋଗ ପାଇବା ପରେ ସହିଦନଗର ପୋଲିସ ତୁରନ୍ତ ଚଢ଼ାଉ କରି ନାବାଳକଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ମନାସ ସିଂ ଓରଫ ମନିଆ, ମିଟୁ ନାୟକ, ମାନସ ରଞ୍ଜନ ସ୍ୱାଇଁ ଓ ରାଜେଶ ସାହୁଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ୍ର ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

