କଟକ, (୦୪/୦୭) : ଆପ୍ର : ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟଙ୍କ ପେନସନ ଟଙ୍କାକୁ ବି ସ୍ବାହା କରିଦେଲେ । ମଧୁବାବୁ ପେନସନ ଯୋଜନାରେ ୩୦ ଲକ୍ଷ ୭୮ ହଜାର ଟଙ୍କା ହଡ଼ପ ଅଭିଯୋଗରେ ପୁରୀ ଜିଲ୍ଲାର ଦୁଇ ଜଣ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ।
ଦୁଇ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଦୁଇ ଅଧିକାରୀ ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପେନସନ ଅର୍ଥକୁ ଆତ୍ମସାତ୍ କରିଥିବା ତଦନ୍ତରେ ସାମ୍ନାକୁ ଆସିଛି । ଗିରଫ ଅଧିକାରୀ ମାନେ ହେଲେ ଗଡ଼ମୃଗଶିରା ଓ ଜାମରସୁଆଁ ଗ୍ରାମପଞ୍ଚାୟତର ପୂର୍ବତନ ପିଇଓ ସୁଲମଣି ଜାନି ଓ କଣାସ ବ୍ଳକ ସାହୁପଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଟୁନା ପ୍ରଧାନ।୨୦୨୨ରୁ ୨୦୨୫ ମଧ୍ୟରେ ଉଭୟ ଅଧିକାରୀ ନିଜ ପଦର ଦୁରୁପଯୋଗ କରି ପେନସନ ବଣ୍ଟନ ହୋଇନଥିବା ଅର୍ଥକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ ।
ସୁଲମଣି ଜାନି ୧୫ ଲକ୍ଷ ୭୪ ହଜାର ୮୨୦ ଟଙ୍କା ଏବଂ ଟୁନା ପ୍ରଧାନ ୧୫ ଲକ୍ଷ ୩ ହଜାର ୮୦୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି । ମୋଟ ହଡ଼ପ ଅର୍ଥର ପରିମାଣ ୩୦ ଲକ୍ଷ ୭୮ ହଜାର ୬୨୦ ଟଙ୍କା । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ଦାୟର କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।

